Unknown

 

 

 

 

 

 

 

 

 

ଶ୍ରୀମତୀ ଯୋଗାଭିସାର

ଅଭିରାମ ପରମହଂସ

 

 

ଶ୍ଳୋକ

ଏକସ୍ତମାତ୍ମା ପୁରୁଷ ପୁରାଣଃ ସତ୍ୟଃ

ସ୍ୱୟଂ ଜ୍ୟୋତିରନନ୍ତ ଆଦ୍ୟଃ

ନିତ୍ୟୋଽକ୍ଷରୋଽଜସ୍ର ସୁଖୋ ନିରଞ୍ଜନଃ

ପୂର୍ଣ୍ଣେଽଦ୍ଦ୍ୱୟୋ ମୁକ୍ତଉପାଧିତୋମୃତଃ

 

ଆଦ୍ୟ ବନ୍ଦନା

ରାଗ-ବିଶ୍ୱକର୍ମା ବିନିମତ ବୃତ୍ତେ

 

ଅପ୍ରାକୃତ ସତ୍‌ଚିଦାନନ୍ଦ ନାରାୟଣ;

ଅନନ୍ତ ଜ୍ଞାନ ସତ୍ୟ ତୁ ବ୍ରହ୍ମ ନିରୂପଣ (ପ୍ରଭୁ) ।୧।

 

ଆଦି ଅନାଦି ହେ ଅବ୍ୟକ୍ତ ତୁ ବ୍ୟକ୍ତ ହୁଅ,

ଆସି ଦୁଷ୍କୃତଙ୍କୁ ଦଳି ଯଶ ରଖିଯାଅ (ପ୍ରଭୁ) ।୨।

 

ଇଚ୍ଛାମୟ ତବ ପ୍ରୀତି ସମ୍ପାଦନ ପାଇଁ,

ଇତର ନ ମଣ ମୋତେ ମୁଁ ପର ନୁହଁଇ (ପ୍ରଭୁ) ।୩।

 

ଈଶ୍ୱର ସ୍ୱତନ୍ତ୍ର ତୁହି କୃପା ମୋତେ କର,

ଇଚ୍ଛାକରେ ଲେଖିବାକୁ ଯୋଗ ଅଭିସାର (ପ୍ରଭୁ) ।୪।

 

ଉଆଁସ ରାତ୍ରକୁ ଚନ୍ଦ୍ର ପରି ଏହି ହେବ,

ଉଷତ ହୋଇବେ ହରି ଯେ ୟାକୁ ପଢ଼ିବ (ପ୍ରଭୁ) ।୫।

 

ଊତ୍ତମ ଶ୍ଳୋକ ହେ ଊରୁପଣ ମୋର ନାହିଁ,

ଉପଇନ୍ଦ୍ର ପଦ ବିନା କିଛି ନ ଜାଣଇ (ପ୍ରଭୁ) ।୬।

 

ଋଦ୍ରାଣୀ ସେବି ଲଭିଛି ତବ ପଦ୍ମ ପାଦ,

ଋତ ଶୁଭୁଅଛି ତୁମ୍ଭେ ମୋର ହୃଦାନନ୍ଦ (ପ୍ରଭୁ) ।୭।

 

ଋପିଲା ବୃକ୍ଷକୁ ଯଦି କାଟିବ ମୋ ଧନ,

ଋକ୍ଷ ଇଶ ବହିବଟି ନିଶ୍ଚେ ଋ ଋ ଚିହ୍ନ (ପ୍ରଭୁ) ।୮।

 

ଲୋଲୁପ ଅଛି କି ନାହିଁ କହିଲ ମୋଠାରେ,

ଲୁଠାଅ ସ୍ୱାମୀ ହେ ମୋତେ ଅଭୟ ପୟରେ (ପ୍ରଭୁ) ।୯।

 

ଲୁଟାଇ ଦିଅ ତଦୀୟ କୃପା ସମୁଦ୍ରକୁ,

ଲୁଚିଅଛି ଖୋଜି ନିଅ ତବ ଦର୍ଶନକୁ (ପ୍ରଭୁ) ।୧୦।

 

 

ଏଣଇନ୍ଦ୍ର ସୂତ ମୁଁ ତୋ ନ କରିବ କୋଳ ?

ଏକବିଂଶ ଯୋଗ ଏକା ପଦକଞ୍ଜ ତୋର (ପ୍ରଭୁ) ।୧୧।

 

ଐରାବତ ପତିପଦ ଜଳବିମ୍ବ ମଣେ,

ଐକାନ୍ତିକ ଭକ୍ତି ରହୁ ତଦୀୟ ଚରଣେ (ପ୍ରଭୁ) ।୧୨।

 

ଓ କରିବ ଡାକିବି ଯେତେବେଳେ ମୁହିଁ,

ଓଲଟ ପାଲଟ ନ କରିବ ଭାବଗ୍ରାହୀ (ପ୍ରଭୁ) ।୧୩।

 

ଔଷଧ ଖ୍ୱାଇବ ନାଥ ରୋଗୀ ରୋଗ ଦେଖି,

ଔରସ ଭୃତ୍ୟୁ ଭୃତ୍ୟ ମୁଁ ତୁମ୍ଭେ ମୋର ସାକ୍ଷୀ (ପ୍ରଭୁ) ।୧୪।

 

ଅଂ ଭଜୁଅଛି ତୋର ଯୁଗଳ ବେଳରେ,

ଅଂଶକୁ ମିଶାଇ ଦିଅ ତଦୀୟ କଳାରେ (ପ୍ରଭୁ) ।୧୫।

 

ଅଃତ ଆସି ଅସୁନାଥ ଦେଖାଅ ଶ୍ରୀମୁଖ,

ଅଭିରାମ ଦେଖି ଅଭିରାମ ହରୁ ଦୁଃଖ (ପ୍ରଭୁ) ।୧୬।

 

କଠିନ ଶବ୍ଦାର୍ଥ

ଉଷତ- ଆନନ୍ଦ,      ଊରୁପଣ-ବଡ଼ିମାପଣ, ଋତ-ଶବ୍ଦ

ଋକ୍ଷଈଶ-ଚନ୍ଦ୍ର, ଋ ଋ-ଶଖା, ଲୋଲୁପ-ଲୋଭ

ଲୁଠାଅ-ଗଡ଼ାଅ, କୋଳ-ଘୁଷୁରି, ଔରସଭୃତ୍ୟ-ନିଜଦାସ

ଅତ-ଶିଘ୍ର ଅସୁନାଥ-ପ୍ରାଣନାଥ ।

-o-

 

(ଶ୍ଳୋକ)

ତ୍ରିଭଙ୍ଗ ଲଳିତଃ କୃଷ୍ଣୋ ମୁରଲୀ ପୁରୟନ୍ମୁତା,

ଚାଳୟତେ ତେଣୁ ଚନ୍ଧ୍ରେଷୁ ରାଧିକା ଚ କରାଙ୍ଗୁଳି,

ମାଧବ-ରାଧୟୋମଂଧ୍ୟେ ରାଧାମାଧବୟୋରପି,

ମାଧବ-ରାଧୟାସାର୍ଦ୍ଧଂ ରାଜତେ ରାତ୍ରମଣ୍ଡଳେ ।

 

ବିଶାଖାଙ୍କ ପ୍ରତି ଶ୍ରୀରାଧା

(ଘନ ସୁନ୍ଦର ମୋର କର କର ଚାକର ବୃତ୍ତେ)

 

କଳିନ୍ଦଜା କୁଳିଆ , କଳାବନ୍ତ କାଳିଆ

କୁମୁଦିନୀ ବାନ୍ଧବ କିଏ ହେ ?

 

କାମସେନୀ ହସ୍ତର , କହିଥିଲି ମନ୍ତର

କରକା ପରି କଲେ ଦୟାମୟ । ଘୋଷା ।

 

କୃତମାଳ ମୂଳର, କରମ୍ବିତ ବେଳର

କି କହିଥିଲେ କହ ସେ ସମୟ ।୧ ।

କାଂଶିନୀ କିଏ ଥିଲା, (ମୋ) କାନ୍ତକୁ ଭୁଲାଇଲା

କାନ୍ତ ବରତ ଜାଣ ସର୍ବ ସହ  ।୨।

କନ୍ୟକା ମୋର ସେହି, କହ ବିଶାଖା ଯାଇ

କହନ୍ତୁ ଦେଖି ମୋର ତୁହି ନୁହଁ ।୩।

କୀଟପର ସଂସ୍କୃତି ପରି ଯେଣୁ ଶ୍ରୀପତି

କହଇ ଅଭିରାମ ତେଣୁ ଭୟ ।୪।

 

କଠିନ ଶବ୍ଦାର୍ଥ

କାମସେନୀ-ଦତୀ,            କୃତମାଳ-ତମାଳ,

କରମ୍ବିତ-ହସ୍ତ ଛନ୍ଦାଛନ୍ଦି,      କାଂଶିନୀ-ସୁନ୍ଦରୀ ସ୍ତ୍ରୀ

କନ୍ୟକା-ନେତ୍ର ପିତୁଳା,      କୀଟପ-କୁମ୍ଭାରିଆ ପୋକ ।

-୦-

 

ଶ୍ରୀରାଧାଙ୍କ ପ୍ରତି ବିଶାଖା

(ଶ୍ୟାମ ପ୍ରେମ ବଡ଼ ମଜାରେ ସଙ୍ଗାତ ବୃତ୍ତେ)

 

ଖଂ ସୁମନକୁ ଅନାଇ ବସିଛୁ ଖଗପତି ସେହିପରି,

ଖରାପ ହେବୁଟି କଥା ନ ମାନିଲେ କ୍ଷୁର ଦେବେ ବଂଶୀଧାରୀ ଗୋ (ଶ୍ରୀମତୀ)

 

ଖଟିଛନ୍ତି ଯା’କୁ ଷୋଳସସ୍ର ଗୋପୀ (ତୁ) ଖଞ୍ଜନାଖି ସେହିପରି,

ଖଗବଳ ତୋର ଦୁର୍ବଳ ହୋଇଛି ଖାଉଛୁ ଗରଳ ଭରି ଗୋ ।୧।

 

ଖେଦ ଆରତରେ ଯେତେ ତୁ ଡାକୁଛୁ ଖଳ ବୁଦ୍ଧି ପଛକରି,

କ୍ଷମା ସାଗରର ନାମ ଆର୍ତ୍ତତ୍ରାଣ ଖିଆଲ ମଣିଲେ ହରି ଗୋ ।୨।

 

ଖଣନ୍ତି ଧରିଣ ନିରିମୂଳୀ ମୂଳ ଖୋଳୁଅଛୁ ଯତ୍ନକରି,

ଖାଏ ଅଭିରାମ ସବୁ ଧକ୍‌କା ସିନା କହେ ବିଶାଖା ସୁନ୍ଦରୀ ଗୋ

(ଶ୍ରୀମତୀ) ।୩।

 

କଠିନ ଶବ୍ଦାର୍ଥ

ଖଂ-ଆକାଶ,      ଖଗବଳ-ଗରୁଡ଼ ଶକ୍ତି ।

-୦-

 

ବିଶାଖାଙ୍କ ପ୍ରତି ଶ୍ରୀମତୀ

(ବିଶ୍ୱମୋହନ ହେ, ବିଶାଖ କି ମନେନାହିଁ ବୃତ୍ତେ)

 

ଗୋଜା ଲେଖିଛି ଗୋ ଗରୁଡ଼ଧ୍ୱଜଙ୍କ ପାଇଁ,

ଗିରିଦରି ପୁରେ ତପସ୍ୟା କରିଛି, ଗୁପ୍ତ ଗିର ଶୁଣ ସହି ।ଘୋଷା।

ଗିରି ବର ଧର            ହୃଦହାର ମୋର

ଗୁଞ୍ଜରା ବୁଦ୍ଧି ଅଟଇ

ଗ୍ରହପତି ପ୍ରୀତି            ସୁମନ ନ ପାଇ

ଶାନ୍ତି ବା ଆସିବ ନାହିଁ ।୧।

ଗରକଣ୍ଠ ପର            ଶରରେ ମୋହର

ଗାରିମା ଭାଙ୍ଗି ପଡ଼ଇ,

ଗ୍ରାବ କରିଅଛି            ଗାୟକୁ ମୋହର

ଗୁରୁ ଉପଦେଶ ନେଇ ।୨।

ଗୀର୍ବାଣକୁ ବର            ମାଗିଛି ମୋହର

ନିର୍ବାଣକୁ ଆଶା ନାହିଁ

ଗୁପ୍ତ ଗିର ତୋତେ      କହିଲି ସଙ୍ଗାତ

ଭାଷେ ଅଭିରାମ ବାଇ ।୩।

 

କଠିନ ଶଦ୍ଦାର୍ଥ

ଗୋଜା-ତମସୁକ ପତ୍ର,      ଗିରିଦରି-ପର୍ବତ ଗୁହା

ଗୁଞ୍ଜରା-ଭ୍ରମର ଜାତୀୟ କୀଟ,      ଗ୍ରହପତି ସୂର୍ଯ୍ୟ, ଗରକଣ୍ଠ-ଶିବ

ପର-ଶତ୍ରୁ, ଗ୍ରାବ-ପଥର, ଗୀର୍ବାଣ-ଈଶ୍ୱର ।

-୦-

 

ଶ୍ରୀମତୀଙ୍କ ପ୍ରତି ବିଶାଖା

 

ଘନ ରସେ ନଦିଅ ତୁ ଚିତ୍ତରେ ସଙ୍ଗାତ

ଘେନାଇ କହଇ             ଘେନ ପ୍ରାଣସହି

ଘନଶ୍ୟାମ ଦଗାଦାର ସେତ ରେ ସଙ୍ଗାତ !(ଘୋଷା)

 

ଘୃଣା ତୁ ନ କର             ଘେନ କଥା ମୋର

ଘଟେ ଘଟେ ତୋର ପ୍ରାଣନାଥରେ ।୧।

 

ଘୋଣ ହାରେ ଦେଖ             ଘଟଣ ଶ୍ରୀମୁଖ

ଘୋଷୁଛନ୍ତି ତବ ନାମେ ମାତ୍ରରେ ।୨।

 

ଘେନି ପଞ୍ଚାଶକୁ             ନିରୋଧ ତାହାଙ୍କୁ

ଘାଟ ମୁଣ୍ଡରେ ଦିଅ ଚିତ୍ତରେ ।୩।

 

ଘଟ ସୁତ ପରି             ଶୋଷରେ ସୁନ୍ଦରୀ

ଘରେ ଅଛନ୍ତି ତୁମ୍ଭ କାନ୍ତରେ ।୪।

 

ଘେନ ମୋ ବଚନ             କର ପଦ୍ମାସନ

ଘୋଷ ପୂର୍ଣ୍ଣମାସୀ ତତ୍ତ ମନ୍ତ୍ରରେ ।୫।

 

ଘୁରି ଘୁରି ହରି             ଆସିବେ ତୋ ପୁରୀ

ଅଭିରାମ ହେବ କୃତ କୃତ୍ୟରେ ।୬।

 

କଠିନ ଶବ୍ଦାର୍ଥ

ଘନରସ – ଶୃଙ୍ଗାର ରସ, ଘଟସୁତ – ଅଗସ୍ତି ।

-୦-

 

ବିଶାଖାଙ୍କ ପ୍ରତି ଶ୍ରୀମତୀ

(ଚନ୍ଦନ ଯାତ ସୁତ ବୃତ୍ତେ)

 

‘ଉପଇନ୍ଦ୍ର ମୋର’

 

ଉପପ୍ଳୁତ ତୁହି ନକର ବିଶାଖା, ଉପତ୍ରୋଶ କଲି ଦୂର ଗୋ ।(ଘୋଷା)

 

ଉରୁ ପଣ ମୋର             ନାହିଁ ଗୋ ବିଶାଖା

ଉଡ଼ୁକାନ୍ତ ମୁଖ ମୋର

ଉହରେ ଭୁଲାଉ             ଯୋଗ କରୁ କହୁ

ଉର୍ଦ୍ଧ୍ୱରେତା ପରକାରେ ଗୋ ।୧।

 

ଉଡ଼ୁଈଶ ମୁଖ             ସାକ୍ଷାତେ ଦେଖୁଛି

ଉଚିତ କି ଯୋଗ ମୋର

ଉତପାତ ବେଳ             ପଡ଼ିବାରୁ ସିନା

ନ ଭୁଲେ ମୃଗ ତୃଷ୍ଣାରେ ଗୋ ।୨।

 

ଉପାଧି ନାହିଁ ମୋ             ତୋହର ଗିରକୁ

ଉ’କାର ନାହିଁ ମୋହର

ଉଜ୍ଜ୍ୱଳରେ ଅଭି-            ରାମ କହୁଅଛି

ସାକ୍ଷାତ ସେବନ ମୋର ତୋ ।୩।

 

କଠିନ ଶବ୍ଦାର୍ଥ

ଉଡ଼ୁକାନ୍ତ-ଚନ୍ଦ୍ର, ଉତପ୍ଳୁତ-ଏପଟ ସେପଟ, ଉପତ୍ରୋଷ-ନିନ୍ଦା ,

ଉହରେ-ମାୟାରେ, ଉପାଧି-ଉପମା, ଉକାର-ଉତ୍ତର ।

-୦-

 

ଶ୍ରୀ ରାଧାଙ୍କ ପ୍ରତି ବିଶାଖା

(ଶ୍ୟାମ ପ୍ରେମ ବଡ଼ ସୁଖରେ ସଙ୍ଗାତ)

 

ଚାରି ଯୋଗ ତୋର             ଅଛି ତୋ ଶ୍ରୀମତି !

ଚିତ୍ତରେ ମୁଁ ବିଚାରୁଛି

ଚାରୁ ଗିର ତୋର             ଶୁଣିଲା ବେଳରୁ

ଚିତ୍ର ପରାଏ ମଣୁଛି ରେ ସଙ୍ଗାତ ।୧।

 

ଚିବୁକ ଧରି ମୁଁ             ତୋତେ କହୁଅଛି

ଚେଟି ଯେଣୁ ଅଟେ ମୁହିଁ

ଚତ୍ରବାଡ଼ ମଧ୍ୟେ            ଦେଖ ଗୋ ମିତଣୀ

ଚତୁର୍ଭୁଜ ଛନ୍ତି ହୋଇ, ଗୋ ସଙ୍ଗାତ ।୨।

 

ଚଉମାଥ ଚନ୍ଦ୍ର-            ଚୂଡ଼ ଆଦି ଯା’କୁ

ଚିନ୍ତୁଥାନ୍ତି ରାତ୍ର ଦିନ

ଚନ୍ଦ୍ରମା ବଦନୀ            ନାହିଁ ତୁ ନ କରି

ଭକ୍ତି ଯୋଗେ ଦିଅ ମନ, ରେ ସଙ୍ଗତ ।୩।

 

ଚନ୍ଦ୍ରାବଳୀ ପତି             ହୋଇଲେ ଶ୍ରୀପତି

ମୋର ଗୁପ୍ତ ମନ୍ତ୍ର ଧର

ଚରଣ ଧରିଣ             ଚିଆଁଇ ଜପିଲେ

ଚିନ୍ତାମଣି ହେବେ ତୋର, ଗୋ ସଙ୍ଗାତ ।୪।

 

ଚରଣ ଦାସୀ ମୁଁ            କାୟବ୍ୟୁହ ରୂପ

ଯୁଗେ ଯୁଗେ ଅଟେ ତୋର

ଚିନ୍ତାମଣି ମହୀ -            ଭାବ ଏକ କରି

ଦେଖିତ ସୁଖ ତୁମ୍ଭର, ଗୋ ସଙ୍ଗାତ ।୫।

 

ଚାତକ କରିବି             ଚିନ୍ତାମଣିଙ୍କି ମୁଁ

ଚତୁରୀ ହେବୁ ତୁ ଘନ

ଚତୁର୍ଦ୍ଦଶ ଯୋଗେ             ଅଭିରାମ କହେ

ନ ଛାଡ଼ିବେ ରାତ୍ର ଦିନ, ରେ ସଙ୍ଗାତ ।୬।

 

କଠିନ ଶବ୍ଦାର୍ଥ

ଚାରିଯୋଗ-ସୌଭାଗ୍ୟ,      ଚିତ୍ରପ୍ରାୟ-ଆଶ୍ଚର୍ଯ୍ୟ ପ୍ରାୟ

କାୟ ବ୍ୟୁହ-ଅନ୍ତର ବାହାରେ ।

-୦-

 

ବିଶାଖାଙ୍କ ପ୍ରତି ଶ୍ରୀରାଧା

(ରାଗ ଭାଟିଆରୀ )

 

ଛନ୍ଦା ପାଦ ବନ୍ଧା, ବାଟ କହି ଦିଅ ସହି ଗୋ!

ଛନକା ଛାତିରେ ପଶି, ଦମ୍ଭ ଦିଏ ଦହି ଗୋ (ଘୋଷା)

 

ଛାଡ଼ିଛି ମୁଁ ସବୁ ଆଶା ସଖି             ଛି ଛି ମଣେ ଇନ୍ଦ୍ର ପଦଦେଖି

ଛାତି ପୟୋଧର ମଧ୍ୟେ ଥିବି ମୁଁ ବସାଇ ଗୋ ।୧।

 

ଛତ୍ରାକାରେ ଯେହି ଧରି ଗିରି,            ଛଡ଼ାଇଲେ ଇନ୍ଦ୍ର ଦର୍ପହରି

କ୍ଷୀରାବ୍‌ଧି ତନୟା କାନ୍ତ ଇନ୍ଦ୍ର ଗଲା ଦେଇ ଗୋ ।୨।

 

ଛାୟା ବଲ୍ଲଭ ନନ୍ଦିନୀ କୂଳେ             ଛଡ଼ାଇଲେ ଯେହି ବ୍ରୀଡ଼ାବଳେ

ଛନ୍ନେ ବନେ ମନ ପ୍ରାଣ ଚୋରି କଲେ ଯେହି ଗୋ ।୩।

 

ଛବି ରବି ମ୍ଳାନ ହେଲା ଆସି             ଛଟକେ କହ ଗୋ ତତ୍ତ୍ୱବସି

ଛନ୍ଦି କହେ ଭକ୍ତି ଯୋଗ, ଅଭିରାମ ବାଇ ଗୋ ।୪।

-୦-

 

ଶ୍ରୀମତୀଙ୍କ ପ୍ରତି ବିଶାଖା

(ନେତ୍ରକୁ ନେତ୍ର ମିଳନ ବୃତ୍ତେ)

 

ଯବନିକା ଫେଡ଼ି ଅନା ସମୁଜ୍ଜ୍ୱଳ ହାସି !

ଜମ୍ୱାଳନ ପରେ ପାଦ କେଡ଼େ ଶୋଭା ଦିଶି

ଜବଦୃଷ୍ଟି ଦିଅ ରାଈ ;

 

ଜଗତ ରୃତ୍ୟ ଖଞ୍ଜିଛି ରାଧା ତୁମ୍ଭ ପାଇଁ

ଜାତ ବେଦ ନାମ ଦେଖ ବେନି ଭାଗ ହେଲା

ଜଣେ ରାଧା ଜଣେ କୃଷ୍ଣ ଯୁଗଳଶ ହୋଇଲା

ଏକବିଂଶ ସସ୍ର ଛ’ଶ,

 

ଜୈବାତୃକ ଇନ ଗୃହେ ଲାଗିଛି ରାହାସ ।

ଜପିବାକୁ ଲୋଡ଼ା ନାହିଁ ତପ ହେଉ ଥାଇ

ଜଗତ ପ୍ରାଣ ଗୃହରେ ରାହସ ହୁଅଇ

ଜାଣ କଚମ୍ୱିତ ହୋଇ;

 

ପଞ୍ଚ ଶାଖା ପଞ୍ଚ ତତ୍ତ୍ୱେ ଖେଳନ୍ତି ମାଧୋଇ ।

ଜ୍ୟୋତି ଜ୍ୱାଳା ଉର୍ମ ଧୂର୍ମ ଚାରିହାରେ ଦେଖ

ଯାଉଁଳି କବାଟ ଧରିଛନ୍ତି ସଖୀ ଯାକ

ରାଈ ଅଷ୍ଟଦଳ ଏହି,

 

ଅଷ୍ଟ ସଖୀ ସେବୁଛନ୍ତି ଯନ୍ତ୍ରମାନ ବାଇ ।

ଜୀବନକ ସହସ୍ରରେ ମହାନିତ୍ୟ ରାସ

ଜୀବଞ୍ଜୀବ ପରି ଚକ୍ରବାଡ଼େ କର ଆଶ

ଜୀବନଦ ବରଷିବ,

 

ଜାଣ ଶିରୀମତୀ ତୋର ବାଞ୍ଛା ପୂର୍ଣ୍ଣହେବ ।

କରତୀ ହୋଇବ ଯୁବା ଏ ମାର୍ଗେ ଗମିଲେ

ଜାଣି ଷୋଳସସ୍ର ଗୋପୀ ଏହି ତପ କଲେ

ଜାଣି ଜଟିଳାଙ୍କ ବୋହୁ,

 

ଯଶୋଦା ଦେଖିଲେ ଏଥି ଜୃମ୍ଭା ଅର୍ଥ ବହୁ ।

ଜଳଜ ଆସନେ ପୂର୍ଣ୍ଣମାସୀ ମନ୍ତ୍ର ଜପ

ଜିଘ୍ରଂଇ ଅର୍ଥରେ ଦେଖ ଜଗତଟି ଲୋପ

ଜାଣି କହେ ଅଭିରାମ,

 

ଜୟ ଶବ୍ଦେ ଯୁଗଳ ହୋଇବେ ରାଧାଶ୍ୟାମ ।

 

କଠିନ ଶବ୍ଦାର୍ଥ

ବ୍ରୀଡ଼ା-ଲଜ୍ଜା      ଜମ୍ୱାଳଜ-ପଦ୍ମ      ଜବଦୃଷ୍ଟି-ଶିଘ୍ର ଦୃଷ୍ଟି

ଜୈବାତୃକ-ଚନ୍ଦ୍ର      ଇନ୍-ସୂର୍ଯ୍ୟ      ଜୀବନିକ-ପଦ୍ମ

ଜୀବଞ୍ଜୀବ-ଚାତକ ପକ୍ଷୀ       ଜୀବନଦ-ମେଘ       ଜୃମ୍ଭା-ହାଇଁ

ଜିଘ୍ରଂଇ-ଆଘ୍ରାଣ କରଇ ।

-୦-

 

ବିଶାଖାଙ୍କ ପ୍ରତି ଶ୍ରୀମତୀ

(ଲଳିତ ଲବଙ୍ଗ-ଲତା –ପରିଶୀଳନ ବୃତ୍ତେ)

 

ଝରୁଛି ଝର ଝର, ଝର ସୁତ ପରି ମୋର

ପ୍ରିୟ ବିଶାଖା ଅମୃତ ନଈ ।(ଘୋଷ)

ଝଗଡ଼ା ମେଣ୍ଟାଇ ସଖି,      କଲୁ ତୁହି ମୋତେ ସୁଖୀ

ମହା ରସ ଦେଲୁ ଚଖାଇ ।୧।

 

ଝସ କେତନ ପିଅର,      ଯେହ୍ନେ ହେବେ ବଶ ମୋର

ବେଳୁ ମୋ ହୃଦ ପଦକ ହରି

ଝିଅ ପରି ମୋତେ କରି,      ମୋ ହୃଦହାର କଂସାରି

ତାର ବାର ରସ ଦିଅ ଠାରି ।୨।

 

ଝିମିଟେ ଡେରି ନ କରି,      କହ ଭକ୍ତି ଯୋଗ ଠାରି

ଅନ୍ତରଙ୍ଗ ବହିରଙ୍ଗ ନେଳ

ଝଳି ମାର୍ଗ ଅନୁରାଗ ,      ଯେତେକ ତାର ସରାଗ

ଭରମ ତୁଟାଇ ଦେବୁ କହି ।୩।

 

ଝଞ୍ଜକା ତୁ ନ ମଣଟି,      କାୟ ବ୍ୟୁହ ରୂପ ତୁଟି

ବେଳୁ ମୋର ଦୁଃଖେ ଦୁଃଖୀ ତୁହି,

ଝ’କାରେ ଅଭିରାମ            କହଇ ସବୁ ମରମ

ପୂର୍ଣ୍ଣମାସୀ ଯାହା ଛନ୍ତି କହି ।୪।

 

କଠିନ ଶବ୍ଦାର୍ଥ

ଝର ସୁତ – ନଦୀ

ମହାରସ – ପ୍ରେମରସ ଝିମିଟେ - କ୍ଷଣେ

ଝଳିମାର୍ଗ – ଉଜ୍ଜ୍ୱଳ ପଥ

ଝଞ୍ଜକା – ଖରାପ କିମ୍ୱା ହାଲୁକା ।

-o-

 

ଶ୍ରୀ ରାଧାଙ୍କ ପ୍ରତି ବିଶାଖା

(ତ୍ରିପଟା ପଡ଼ି ବୃତ୍ତେ)

 

ନୀରଜ-ନୟନୀ ରାଈ      ନିଦର ହୋଇ

ନିଶ୍ଚୟ କରି କହଇ (ଘୋଷ) ।

ନ୍ୟାସ କରିଛୁ ତୋ ମନ,            ନାରୀ ରତନ

ନିର୍ବେଦ ତୋହର ମନ (ପଡ଼ି)।

 

ନିଶି ମୁଖେ ଏ ଶେଷ       ଶୁଣ ତୁ ଭକ୍ତି ରସ

ନକ୍ଷତ୍ର ବିଧି ପୂର୍ଣ୍ଣ            ରୂପରେ ପରକାଶ

ନିନାଦ ମାନ ନାହିଁ             ନିଶ୍ଚଳେ ଶୁଣ ସହି

ନିନାଦ ମାନ ଜାଣ             ବାର ପ୍ରକାର ହୋଇ

ଭକତି ଯେହି ।

 

ନିଖିଳେ ଯେତେ ଭକତ ଶୁଣ ସଙ୍ଗାତ

ପଞ୍ଚମ ଭାଗେ ବିଭକ୍ତ,

ନରକ ନିସ୍ତ୍ରାରିଣୀ             ଶୁଣ ତୁ ମୋର ବାଣ

ଶାନ୍ତ ଦାସ୍ୟ ସଖ୍ୟ ଯେ       ବାତ୍ସଲ୍ୟ ବୋଲି ଜାଣି

ମଧୁର ରସ ସେହି             ସର୍ବ ଶ୍ରେଷ୍ଠ ଅଟଇ

ନାରଦଙ୍କ ପିଅର             ଖଞ୍ଜିଛି ତୁମ୍ଭ ପାଇଁ

ସୂତ୍ର କହଇ ।

 

ନୟନ ଉର୍ଦ୍ଧ୍ୱ ଆଡ଼ରେ ଚକ୍ର ବାଡ଼ରେ

ନେତ୍ରକୁ ଖଞ୍ଜି ମୋଡ଼ରେ,

ନାରାୟଣ ପ୍ରେୟସୀ       ମଧୁର ରସେ ରସି

ନୀଳାଞ୍ଚଳରେ ରାଧା-      ରାଣୀକୁ ଯାଅ ପଶି

ନୃତ୍ୟନ୍ତି ବ୍ରହ୍ମରାଶି             ଧରିଣ ଅଷ୍ଟ ଦାସୀ

ତୋର ବିନା ରାହାସ      ଶୋଭା ମାତ୍ର ନ ଦିଶି

ଦିଅ କୁ ଚାହିଁ ।

 

ନାକ ନରକ ଏକତ୍ୱ-କର ସଙ୍ଗାତ

ବଜାଅ ନାସିକା ଯନ୍ତ୍ର,

ନାରଦ ଆସନରେ       ବସ ମନ ଶୁଦ୍ଧରେ

ବିଭୂଷିତ ତୁ ହୁଅ             ଅଷ୍ଟ ଅଳଙ୍କାରରେ

ପୂର୍ଣ୍ଣମାସୀ କି ସ୍ମରି             ପାଦୁକା ମନ୍ତ୍ର ଧରି

ଭାଷଇ ଅଭିରାମ             ତୋହର ହେବେ ହରି

ତତ୍ତ୍ୱଟି ଏହି ।

-୦-

 

ବିଶାଖାଙ୍କ ପ୍ରତି ଶ୍ରୀମତୀ

(ତ୍ରିପଟା ପଡ଼ି ବୃତ୍ତେ)

ଟାଉ ଟାଉ ହେଲି ମିତଣୀ ………ତୋ ତତ୍ତ୍ୱ ଶୁଣି

ଗୁପତୁ ଗୁପ୍ତ କାହାଣୀ       ।ଘୋଷା।

ଟଳିଲା ନାହିଁ ତୋ ଗିର, ବିଶାଖା ମୋର,

ଟଙ୍କ ଟି ଲାଗେ ମଧୁର ।ପଡ଼ି।

 

ଟଙ୍କ ଧରଙ୍କ ପର-            ପିଅର ଦଗାଦାର

ନୁହଁନ୍ତି ଗୋ ବିଶାଖା       ଭକ୍ତ ପ୍ରିୟ ଶ୍ରୀଧର,

ତସ୍‌କର ନୁହଁନ୍ତି             ଠକକୁ ଠକି ଦ୍ୟନ୍ତି,

କର୍ମର ଅନୁସାରେ            ଫଳ ମାତ୍ର ଦିଅନ୍ତି

ମୁରଲୀ ପାଣି ।

ଟଳଟଳିଆ ଯା’ ମନ…..ଯାମିନୀ ଦିନ

ବିଷୟା ରସେ ମଗନ ।(ଘୋଷା)

 

ଟାଣ ମନ ଯାହାର             ସେହି ଭକ୍ତ ମୋହର

ନିକୁଞ୍ଜେ କହିଥିଲେ       ଦିନେ ମୋ ହୃଦହାର

ଟହ ଟହ ହାସିନୀ             ଯେ ମାତ କାତ୍ୟାୟନୀ

ତାଙ୍କ ବଚନ ମୋର       ଶିରୋଧାର୍ଯ୍ୟ ମିତଣୀ

ନାହିଁ ଭାଳେଣି ।

 

ଟେରାକୁ ଟେକିଲୁ ସଖୀ       ମୋ ଆର୍ତ୍ତ ଦେଖି

ତୋ ଋଣ ଶୁଝି ପାରେ କି ? (ଘୋଷ)

ଅଟଳ ତୋର ବାଣୀ       ପୂର୍ବୁ ମୁଁ ଅଛି ଶୁଣି

କୁମାରୀ ବେଳେ କହି -      ଥିଲେ ନାରଦ ମୁନି

ଟେକଇ ଅଭିରାମ             ମନ ସଙ୍ଗରେ ରାମ

ରାଧାକୃଷ୍ଣଙ୍କ ତତ୍ତ୍ୱ            ଯହିଁରେ ମହାପ୍ରେମ

ଅମୃତ ଖଣି ।

 

କଠିନ ଶବ୍ଦାର୍ଥ

ଟଙ୍କା-ଖଟା,      ଟଙ୍କଧର –ଶିବ,      ପର-ଶତ୍ରୁ କିମ୍ୱା ଶ୍ରେଷ୍ଠ

ଟେରା - ପରଦା କିମ୍ୱା ଢ଼ାଙ୍କୁଣୀ ।

-୦-

 

ଶ୍ରୀମତୀଙ୍କ ପ୍ରତି ବିଶାଖା

ଠୁଳେ ଦେଖଗୋ

 

ଠାକୁରାଣୀ ଠିକେ କର, ଲାଖ ଗୋ ।(ଘୋଷା)

ଠୁଣୁ ଠୁଣିକିଆ ନୁହେଁ       ଠାରିଦେଲି କୃଷ୍ଣ ପ୍ରିୟେ

ଠୁଳେ ନୟନକୁ ନେଇ ରଖ ଗୋ ।୧।

 

ଠ’କାରାଦି ବାରବର୍ଣ୍ଣ      ଦେବୀ ଈଶଙ୍କ ଚରଣ

ଠୁଳେ ପଙ୍କଜାଘ୍ରିଂ ରସ ଚାଖ ଗୋ ।୨।

 

ଠେଲା ଠେଲି ସିଂହଦ୍ୱାରେ       ହାରୀ ଜଗିଛି ହାରରେ

ମନାଇ ଅନାଥ ନେତ୍ର ବାଙ୍କ ଗୋ ।୩।

 

ଠାକୁର ତୋ ନାମ ଦୁଇ       ଠକାମି ମନ୍ତ୍ର ନୁହଁଇ

ଏକାକ୍ଷର ହୁଏ ନିତ୍ୟ ଜପ ଗୋ ।୪।

 

ଠଣ ସୁନ୍ଦରୀଙ୍କ ଠାର       ଦେଖ ନିଭୃତ ସ୍ଥାନର

ଠିକେ ହରୁ ଅଭିରାମ ଦୁଃଖ ଗୋ ।୫।

 

 

କଠିନ ଶବ୍ଦାର୍ଥ

ଠୁଳ-ବିନ୍ଦୁ ମଣ୍ଡଳ,            ଠୁଣଠଣିକିଆ-ଛୋଟ ଛୋଟ ।

-୦-

 

ବିଶାଖାଙ୍କ ପ୍ରତି ଶ୍ରୀରାଧା

(ତ୍ରିପଟା ବୃତ୍ତେ)

 

ଡର ଭୟକୁ ଉପେକ୍ଷି       ସୁଧାଂଶୁ ମୁଖୀ

ଡାକି ଭାଷନ୍ତି ସଖୀଙ୍କି

ଡାକୁଛି କିଏ ବିଶାଖା       ତା’ମୁଖ ଦେଖା

ତୁ ମାତ୍ର ମୋହର ସାଖୀ ।୧।

 

ଡୋଳା ଉପରେ ଶବଦ       ମୁରଲୀ ନାଦ

ମନକୁ ନେଉଛି ଝିଙ୍କି

ଡାକୁଛି ମୋ ନାମ ଧରି       ରାଧା ସୁନ୍ଦରୀ

ତୋ ମନେ ମୁହିଁ ନାହିଁକି ।୨।

 

ଡରୁଛି କାହିଁକି ଧନ             ତୁ ମୋ ଜୀବନ

ଆସିବି ଥିଲି କହିକି

ଡେରି ହେବାରୁ ଡରରେ       ପ୍ରାଣପ୍ରିୟାରେ

ବୁଦ୍ଧି ମୋ ଗଲା ଡହକି ।୩।

 

ଡମ୍ୱରୁ ଧରଙ୍କ ପର -      ଶରୁ ଉଧାର

ତୋ ବିନା କିଏ ଅଛି କି ?

ଡାଙ୍କୁଣି କିଏ ସେ ଥିଲା       ଭୁଲାଇ ଦେଲା

ମଙ୍ଗଳା ଅଛନ୍ତି ସାକ୍ଷୀ ।୪।

 

ଡେରା ଭିତରେ ଏ ବାଣୀ       କିଏ ସେ ଭଣି

ହୃଦ ମୋ ଯାଏ ଚମକି

ଡିଣ୍ଡମ ବାଉଛି ବାଇ       ମିଳନ ପାଇଁ

ଆସିବେ ଚିନ୍ତା ମଣିକି ।୫।

 

କଠିନ ଶବ୍ଦାର୍ଥ

ଉପେକ୍ଷି –ତ୍ୟାଗକରି, ଡାଙ୍କୁଣୀ-ଡାହାଣୀ, ଡେରା-ତମ୍ୱୁ ।

-୦-

 

ଧନୀଙ୍କ ପ୍ରତି ବିଶାଖା

(ଠୁଳେ ଦେଖ ଗୋ ! ବୃତ୍ତେ)

 

ଢଳି ନୃତ୍ୟନ୍ତି ବେଣୁପାଣି ଗୋ !

ଦେଖ ଧନୀ ଗୋ !

ଢାଙ୍କୁଣି ଫିଟାଅ ରାଧାରାଣୀ ଗୋ ।ଘୋଷା।

 

ଢୋକିଛୁ ମାଦକ ନିଶା      ଢାଳେ ଦିଶୁନାହିଁ ଆଶା

ବଢ଼ାଇଛି ମୁଁ ତୋତେ ଭାଙ୍ଗୁଣି ଗୋ ।୧।

 

ଢଳି ହଳ ଦିଶେ ମୋତେ      ଏ ଯେଉଁ ବ୍ୟାଧିଟି ତୋତେ

ଔଷଧ ଭୁଞ୍ଜ, ବେଳ ଜାଣି ଗୋ ।୨।

 

ଢାଳି ଅଛି କିଏ ତୋର       ଅଙ୍ଗେ ଅଷ୍ଟ ଅଳଙ୍କାର

ଚାରିରେ ବିଭକ୍ତ ଗୋସାମଣି ଗୋ ! ।୩।

 

ଢମ ପଣ ଛାଡ଼ି ଧନୀ       ଭଜ ମୃତ୍ୟୁସଞ୍ଜିବନୀ

ଢୋକ ଢୋକ ରସାମୃତ ପାଣି ଗୋ ।୪।

 

ଢାଳେ ଢାଳେ ଶ୍ରଦ୍ଧାବାରି       କହେ ଅଭିରାମ ଠାରି

ପାଷାଣ ହୋଇବ ନିଶ୍ଚେଁ ପାଣି ଗୋ ।୫।

 

କଠିନ ଶବ୍ଦାର୍ଥ

ଢାଳେ – ବାରେ, ଢଳହଳ – ଅସ୍ଥିର ।

-୦-

 

ସଖୀ ପ୍ରତି ଶ୍ରୀମତୀ

(ଦ୍ୱାପର ଯୁଗର କଥା ମନୁକି ଭୁଲିଛ ବୃତ୍ତେ)

 

ଅରି ଅରି କରନ୍ତି ଅଗନି ଧର

ଅରିଧରଟି ଯେଣୁ ଦେଲେ ପାସୋରି ଗୋ !

ଅସୁନାଥଙ୍କୁ ଭାଷ ଅତଃ ଆସନ୍ତୁ

ଅତଃ କର୍ମ ଫଳାଙ୍କେ ବସି ଭୁଞ୍ଜକୁ ଗୋ ।

 

ଅସୁର ହୃଷିକ ମୋ ହେଲେଣି ଆସି

ଅସିତ ଦେବେଟି କି ଶ୍ରୀମୁଖେ ହସି ଗୋ ।

ଅଭିରାମ ମୋହର ଲୋକ ଭିରାମ

ଅନୁକମ୍ପା କରିବେ ଅଘନାଶନ ଗୋ ।

 

ଅଜ ଅନୁଗ ବିତେ ଦେହ ଧରନ୍ତି

ଅମର ଅଶନକୁ ଭୁଞ୍ଜାଇ ଦ୍ୟନ୍ତି ଗୋ ।

ଅଷ୍ଟାଦଶ ଯୋଗକୁ ବିଶାଖା ଆଣ

ଅଭିନବ ବୟାଟି ଗଲା ଶରଣ ଗୋ ।

 

ଅବୃଷ୍ଟ ରାଜା ବେଳୁଁ ବରିଛି ମୁହିଁ

ଅଧ୍ୟାହାର ନକରି ସତ୍ୟ କହଇ ଗୋ ।

ଅଘ୍ରି ଦୁଇଟି ଅବତଂସ କରିଛି

ପ୍ରତ୍ୟଙ୍ଗ ଲାଗି ପ୍ରତ୍ୟଙ୍ଗ ମୋ କାନ୍ଦୁଛି ଗୋ ।

 

ଅଭିରାମ ଭାଷଇ ଚିନ୍ତା ନ କର

ଅୟନେ କର ସୁଷୁପ୍‌ତି ବିଚାର ଗୋ ।

ଅଂଶୁ ପ୍ରକାଶ ଦେଖ ଅକ୍ଷ ଆଗରେ

ଅନୁକମ୍ପା ଧ୍ୱଜାଟି ଉଡ଼େ ବାଗରେ ଗୋ ।

 

କଠିନ ଶବ୍ଦାର୍ଥ

ଅରି ଅରି- ଇନ୍ଦ୍ରିୟ,ଶତ୍ରୁ,       ଅଶନି-ବଜ୍ର,ହୃଷ୍ଟିକ-ପ୍ରାଣନାଥ

ବା ଇନ୍ଦ୍ରିୟ,      ଅସିତ-କଳା,      ଅଘ-ପାପ ବା ଦୈତ୍ୟ

ଅଜ-ଅଜନ୍ମ,      ଅନୁଗ-ଭୃତ୍ୟ       ଅଶନ-ଇନ୍ଦ୍ର

ଅଭିନବ ବୟା – ନବବୟସୀ ବାଳା       ଅଧ୍ୟାହାର-ତର୍କ

ଅବତଂସ-ଶୀରୋଭୂଷଣ,      ଅଂଶୁ-କିରଣ , ଅକ୍ଷ – ଚକ୍ଷୁ ।

-୦-

 

ଶ୍ରୀରାଧଙ୍କ ପ୍ରତି ବିଶାଖା

(ଛାତି ପଥର କଲି ସହି, ସହି ଗୋ ! ବୃତ୍ତେ)

 

ତ୍ରିବିଂଶ ଯୋଗରେ ପାଏ, ରାତି ଗୋ ଶିରମତି

ତିନି ଭଙ୍ଗୀ ତତ୍ତ୍ୱ ଶୁଣ ରସବତୀ ।ଘୋଷା ।

ତରଣିଜା ତଟେ ଚାହିଁ ସତୀ       ତୃରୀୟେ ଖେଳନ୍ତି କଂସାରାତି

ତୈର୍ଯ୍ୟତ୍ରିକ ହୁଏ କରନ୍ତି ସଖୀଏ

ତା ଅନ୍ତ ନ ପାଏ ବେଦପତି ।୧।

 

ତରଣୀ ଅଙ୍ଗରେ ତୁହି ସତୀ       ବାହାରେ ଖେଳୁଛୁ ହୋଇ ଶାନ୍ତି

ତ୍ରି ବିକ୍ରମ ତୋର, ହୃଦୟର ହାର

ଅନାହତ ପୁରେ ରହିଥାନ୍ତି ।୨।

 

ତା’ର ତତ୍ତ୍ୱ ଶୁଣ ରସବତୀ       ତିନିକୂଟେ ଯାଇ ହେବୁ ଶାନ୍ତି

ତୋର ତା’ର ମେଳ, କରମ୍ୱିତ ବେଳ

ନିଭୃତେ ଭେଟାଇ ଦେବ ଦୁତୀ ।୩।

 

ତତ୍ତ୍ୱମସି ସୂକ୍ତେ ବହୁକଷ୍ଟ       ଆହେତୁକି ଭକ୍ତେ ପାଇ ଭେଟ

ତୁଳାକୁ ଦେବାକୁ, ମଧୁର ରସକୁ

ଏଥିପରେ ଆଉ ନାହିଁ ଯୁକ୍ତି ।୪।

 

ତାପିନୀ ପ୍ରବୀଣ ନୁହେଁ ମୁହିଁ      ତୋର ଦାସ ଅଭିରାମ ବାଇ

ତୁଳା କୋଟି ସ୍ୱନ, ଅଷ୍ଟାଦଶ ଚିହ୍ନ

ଯହିଁ ତହିଁ ବନ୍ଧା ମୋର ମତି ।୫।

 

କଠିନ ଶବ୍ଦାର୍ଥ

ତରଣିଜା-ଯମୁନା,      ତୈର୍ଯ୍ୟତ୍ରିକ-ନୃତ୍ୟଗୀତ, ତରଣି-ସୂର୍ଯ୍ୟ

ତ୍ରିବିକ୍ରମ-ବାମନ ଭଗବାନ,      ତତ୍ତ୍ୱମସି ସୂକ୍ତେ – ଜ୍ଞାନ ଯୋଗରେ

ତୁଳାକୁ-ଉପମା ଦେବାକୁ ;      ତୁଳା କୋଟି ସ୍ୱନ-ନୂପୁର ଧ୍ୱନୀ

ତାପିନୀ-ବେଦ ପୁରାଣ ।

-୦-

 

ଶ୍ରୀମତୀଙ୍କର ତତ୍ତ୍ୱ ଚିନ୍ତନ

(ଶ୍ରୀରାଧା ବାତୁଳି ପ୍ରେମ ରସାତୁଳି, ବୃତ୍ତେ)

 

ସ୍ଥିର ହୋଇ କରି ରହିଲେ କିଶୋରୀ

ବିଶାଖାଙ୍କ ଉପଦେଶ ନେଇ,

ଥୟ ହେଲା ମନ ଦେହ କମ୍ପମାନ

ଉଦ୍ଦୀପ୍ତ ଅବସ୍ଥା ଗଲା ହୋଇ ।

 

ଥିରି ଥିରି କରି, ଟେକିଲେ ଶ୍ରୀମତୀ ବାର ଧରି

ସ୍ଥିତି ଉତ୍‌ପତି ପ୍ରଳୟ କରିଲେ ପୂର୍ଣ୍ଣମାସୀ ବୀଜ ମନ୍ତ୍ର ଧରି ।

 

ଥର ହର ହେଲା ସପତଁ ପାତାଳ

ବେଦ ତଳେ ସର୍ବେ ହେଲେ ରୁଣ୍ଡ

ସ୍ଥାଣୁ ସୁତ ଯୋଗାସନେ ବସିଥିଲେ, ଉଠିଣ ହୋଇଲେ ଲଣ୍ଡଭଣ୍ଡ

କୁଣ୍ଡଳିନୀ ଦେବୀ, ଉଠିଲେ ଶ୍ରୀମତୀ ଭାବ ଭାବି ,

ବେଦ,ଋତୁ, ଦିଗ,ମାସ,କଳା,ଯୁଗ୍ମ ଏକ ହେଲେ ଧରିବାରୁ ଚାବି ।

 

ସ୍ଥିତପ୍ରଜ୍ଞ ଆଖି, ଶିଖିଚୁଳ ଦେଖି, ଲାଖିରହେ ଭୃଭଙ୍ଗି ସୂତ୍ରରେ

ଥଳ ମିଳିଗଲା ଅଥଳ ସାଗରେ, ରହିଲେ କିଶୋରୀ ଅଜପାରେ

ଥର ହର ହେଲା, ବ୍ରଜ ଭୂମିଖଣ୍ଡ କମ୍ପିଗଲା,

ହୋଇକରି ଥକା ଦେଖନ୍ତି ବିଶାଖା, ଭାବନ୍ତି କି ଭୂମିକମ୍ପ ହେଲା ।

 

ସ୍ଥୂଳ ପାଦ ସ୍ମରି ବିଶାଖା ସୁନ୍ଦରୀ, କରନ୍ତି ଶ୍ରୀମତୀଙ୍କୁ କଲ୍ୟାଣ

ସ୍ଥିର ମନେ ପୂର୍ଣ୍ଣମାସୀ ଚିନ୍ତାକଲେ , ଜାଣିଲେ ରସବତୀ କଷଣ

ଭାଷେ ଅଭିରାମ, ଉଚ୍ଚେ ଡାକେ ଦେବୀ ରାଧାଶ୍ୟାମ

ଧନୀ ଧ୍ୟାନ ସ୍ଥାନେ ପ୍ରବେଶ ହୋଇଲେ, ଏବେ ପୂର୍ଣ୍ଣହେବ ମନସ୍କାମ ।

 

କଠିନ ଶବ୍ଦାର୍ଥ

ଉଦ୍ଦୀପ୍ତ ଅବସ୍ଥା-ଅଷ୍ଟସାତ୍ତ୍ୱିକ ଅବସ୍ଥା,      ସ୍ଥାଣୁ ସୁତ –ଗଣେଶ

ସ୍ଥିତପ୍ରଜ୍ଞ- ସ୍ଥିର, ଆତ୍ମନିଷ୍ଠ ।

-୦-

 

ଦୁର୍ଗାଙ୍କ ଚିନ୍ତନେ ମାଧବଙ୍କ ଆଗମନ

 

ଦେଖନ୍ତି ପୂର୍ଣ୍ଣମାସୀ             ରାଧା ଅଛନ୍ତି ବସି

ଭକ୍ତି ସମାଧି ଯୋଗ କରି,

ଦର ଧର ପୟର            କମଳ କରି ସାର

ଦରକୁ ବିପରୀତ କରି ସେ,

 

ରାସେଶ୍ୱରୀ, ଦୁର୍ଗାଞ୍ଚଳରୁ ଦୃଶ୍ୟ ନେଇ,

ହାବିଂଶ ଯୋଗେ ମଗ୍ନ ହୋଇ

ହିମଣି ଦୋଷାକର            ଦୁଇ ରଖି ହୃଦର

ଦୁର୍ଗରେ ଛନ୍ତି ଦ୍ୱାରଦେଇ ସେ ।୧।

 

ଦୋମୁହାଁ ଦର୍ବିକର             ଧରିଦେବି ନିକର

ଦ୍ୱିରଦ ନିଜାୟତେ ରଖି

ଦରୀରେ କୃଶୋଦରୀ       ଦର୍ଶନେନ୍ଦ୍ରିୟ ଭରି,

ଦମ୍ଭୋଳି ଦେଇ ଶଶମୁଖୀ ସେ ।

 

ରାସେଶ୍ୱରୀ ଦକ୍ଷିଣେ ଦକ୍ଷିଣକୁ ସ୍ମରି,

ଦିବ୍ୟ ଭାଷାର ମନ୍ତ୍ର ଧରି

ଦେହ ତାହାକୁ ତେଜି       ପ୍ରେମ ଭାବରେ ମଜ୍ଜି,

ଅଛନ୍ତି ଦେଖିଲେ ଗଉରୀ ସେ ।୨।

 

ଦେଖିଲେ ଭଗବତୀ,      ଧ୍ୟାନରେ ରାସବତୀ

ହଜିଅଛନ୍ତି ସହଜରେ,

ଦୃଶ୍ୟମାନ ଜଗତ,            ତେଜି ଜଗତମାତ,

ଅଛନ୍ତି ହଜାର ଦଳର ସେ ।

 

ରାସେଶ୍ୱରୀ, ଦ୍ୱାଦଶ ବେନି ଲୋକ ପରେ,

ତିଷ୍ଠନ୍ତି ଆନନ୍ଦ ମନରେ

ଦୁର୍ଗତି ନାଶିନୀଙ୍କି ପଡ଼ିଗଲା ସନ୍ଦେହ,

କୃଷ୍ଣଙ୍କୁ ଚିନ୍ତିଲେ ମନରେ ସେ ।୩।

 

ଦୟାମୟ ହେ ଦର ପର ଦର ଧର ହେ !

ଦେଖା ଦିଅନ୍ତୁ ଦୟାକରି

ଦମ୍ପତ୍ତି ଜେମାଦେଈ, ତଦୀୟ ନାରୀ ସେହି,

ଯୋଗାଭିସାର ଛନ୍ତି କରି ସେ

 

ରାସେଶ୍ୱରୀ, ଦସ୍ୟୁପଣିଆ ଛାଡ଼ି ହରି,

ଦର୍ଶନ ଦିଅ ବଂଶୀଧାରୀ

ଦଶଶିର ନନ୍ଦିନୀ, ପତି ପୁତ୍ରରେ ଆଣି,

କୃପା କରନ୍ତୁ ଗିରଧାରୀ ସେ ।୪।

 

ଦିଗାମ୍ୱରୀ ପାଦୁକା, ମନ୍ତ୍ରବଳେ ସୁମରି କମ୍ପିଲା ଶିରୀ ବୃନ୍ଦାବନ

ଦମ ଦମ ପଡ଼ିଲା, ଛାତିଟି ଥରିଗଲା, ଜାଣିଲେ ଶ୍ରୀମତୀ କଷଣ ସେ

 

ଦୟାନିଧି, ପ୍ରବେଶ ହେଲେ ବିଦ୍ୟୁତ ପରି,

ଯହିଁ ଅଛନ୍ତି ରାସେଶ୍ୱରୀ

ଦୁର୍ଗ କୋଳରେ ରାଈ, ଅଛନ୍ତି ସ୍ଥିର ହୋଇ,

ଦେଖି ରୋଦନ୍ତି ବେଣୁଧାରୀ ସେ ।୫।

 

ହନ୍ଦାର୍ଜ୍ଜୁନ ଟାଳିଆ, ଦୀନ ଜନ ପାଳିଆ,

ନମିଲେ ପୂର୍ଣ୍ଣମାସୀ ପାଦେ,

କଲ୍ୟାଣ କଲେ ମାତ, ସଦିଛାଇ ପୂରୁ ତୋ,

ରାଧିକା ଲଭନ୍ତୁ ଆନନ୍ଦ ସେ

 

ରସରାଜ, ଯୋଗାଭିସାରେ ହୁଅ ସଜ,

ଘେନ ମୋ ସ୍ଥୂଳ ସୂକ୍ଷ୍ମବୀଜ,

 

ଦଶ ଶତଦଳରେ, ରସବତୀ ସଙ୍ଗରେ,

ରାହସ କର ବ୍ରଜରାଜ ସେ ।୬।

 

ଦର୍ପଣ ଧରି ହରି,            ସ୍ଥୂଳକୁ ଗୋପ୍ୟକରି,

ସୂକ୍ଷ୍ମରେ ସୂକ୍ଷ୍ମ ଦେହ ଧରି

ଦ୍ୱାରରେ ବନମାଳୀ,      ପଶିଲେ ଗଳି ଗଳି,

ପୂର୍ଣ୍ଣମାସୀଙ୍କ ଆଜ୍ଞା ସ୍ମରି ସେ

 

ରାସେଶ୍ୱର ! ଦର୍ଶନ ଦେଲେ ରାଇ ଆଗେ;

ସ୍ପର୍ଶନ କଲେ ବହୁ ଅଙ୍ଗେ,

ଦେଖଇ ଅଭିରାମ ଅପ୍ରକଟ ଲୀଳାକୁ

ମଙ୍ଗଳ ଅନୁକମ୍ପା ଯୋଗେ ସେ ।୭।

 

କଠିନ ଶବ୍ଦାର୍ଥ

ଦର ଧର-ଶଙ୍ଖଧାରୀ,      ଦୁର୍ଗାଞ୍ଚଳ-ନେତ୍ରପ୍ରାନ୍ତ, ଦ୍ୱି-ମଣି ସୂର୍ଯ୍ୟ

ଦୋଷାକର-ଚନ୍ଦ୍ର, ଦର୍ବିକର-ସର୍ପ, ଦ୍ୱିରଦ-ହସ୍ତୀ, ଦରୀ-ଗୁହା

ଦମ୍ଭୋଳି-ବଜ୍ର କିଳିଣୀ,      ଦକ୍ଷିଣକୁ-ନାୟକ ବିଶେଷ,

ଦକ୍ଷିଣ –ଦକ୍ଷଅଙ୍ଗ, ଦ୍ୱାବିଂଶ ଯୋଗ-ଶୁଭ, ଦର –ଭୟ, ପର-ଶତ୍ରୁ

ଦରଧର-ଶ୍ରୀକୃଷ୍ଣ ଦ୍ୱନ୍ଦାର୍ଜ୍ଜୁନ –ଯାମଳାର୍ଜ୍ଜୁନ ।

-୦-

 

ଅପ୍ରକଟ ଲୀଳା ବର୍ଣ୍ଣନ

(କି ନାମ ବୋଇଲୁ ତୁହି ଗୋ ଲଳିତେ ବୃତ୍ତେ)

 

ଧୀର ଚକ୍ର ଘେନ ଅପ୍ରକଟ ଲୀଳା, ଧନ୍ଦି ନହେବ ମାୟାରେ,

ଧରଣୀ ଶୋଭଟି ଯାହା କରିଗଲେ

ରହିଲେ ଯୋଗାଭିସାରେ , ଶିରୀମତି ।୧।

 

ଧର ଧରି ଧରି ପକ୍ୱ ବିମ୍ୱାଧରୀ ରହିଲେ ବହୁତ ସ୍ଥାନ ରାସରାଜ !

ଧୀମନ୍ତ ଶ୍ରୀମନ୍ତ ରାଧା ମନ ଜାଣି

କଲେ ପ୍ରେମ ଆଲିଙ୍ଗନ, ହେ ବଂଶୀଧର ।୨।

 

ଧରତ୍ରୀଶ ପ୍ରତି ଅଙ୍ଗଲାଗି ପ୍ରତି ଅଙ୍ଗ ଉଲ୍ଲସ ରାଧାର, ରସବତୀ !

ରସରାଜ ମହାଭାବ ଏକେ ହେଲା

ଆଧାର ଧରେ ଅଧର ସେ କାଳରେ ।୩।

 

ଧ୍ରୁବକରି ଅପ୍ରକଟ ପ୍ରକଟଇ ବୁଝିବେଟି ଧୃତିବନ୍ତି, ଏ ଲୀଳାକୁ

ଧରାପରା ହୋଇ ଅଛନ୍ତିଟି ଯେହି

ନ ପାଇବେ ୟା’ର ଅନ୍ତ; ସାରତତ୍ତ୍ୱ ।୪।

 

ଧନ ମଦାନ୍ଧରେ ଧମ୍ନିଲ ଯେ ଦିଏ, ଧୀଇ ତାର ବିପରୀତ,

ଧର ଧାରୀ ତତ୍ତ୍ୱ ସେ କାହୁଁ ଜାଣିବ

ସର୍ବଦା ବିଷୟା ଶକ୍ତ ମନ୍ଦମତି ।୫।

 

ଧନ ପତି ତାତ ସୁତ ସୁତା ନାଥ,

ବେନି ଶବ୍ଦ ଲୀଳା ଏହି, ମହାପ୍ରେମ

ଧବଳ କର କୋଟିଜିତ ମୁଖକୁ

କହେ ଅଭିରାମ ବାଇ, ଭକ୍ତିଭାବେ ।୬।

 

କଠିନ ଶବ୍ଦାର୍ଥ

ଧୀରଚକ୍ର-ସୁପଣ୍ଡିତ ବର୍ଗ,      ଧରଣୀ ଶୋଭି-ଶ୍ରୀରାଧା,

ଧର ଧର –ଗୋବର୍ଦ୍ଧନ ଧାରୀ,      ଧୀମନ୍ତ –ବୃଦ୍ଧିମାନ

ଶ୍ରୀମନ୍ତ-ସୌନ୍ଦର୍ଯ୍ୟବାନ, ଧନପତି-କୁବେର, ଧବଳକର-ଚନ୍ଦ୍ର

-୦-

 

ଶ୍ରୀ ଭଗବତୀଙ୍କୁ ବିଶାଖାର ପ୍ରଶ୍ନ

(ରାଗ-ରାମକେରୀ)

 

ନିରୁଜ ହୋଇଲେ ବିଶାଖା ଯୋଗାଭିସାର ଦେଖି,

ନାରାୟଣୀଙ୍କି ପୁଚ୍ଛାକଲେ ତତ୍ତ୍ୱ ବିଶାଖା ସଖୀ ।୧।

 

ନିଶାନ୍ତ କାଳ ଏ ନିନାଦ ହୋଇଛି ବିପରୀତି

ନିଶି ମୁଖୁ ବସି ଭାବୁଛି ତତ୍ତ୍ୱ କହିବେ ମାତ ।୨।

 

ନାରାୟଣୀ ଆସି ପ୍ରବେଶ ହେଲେ ତୁମ୍ଭ ଚିନ୍ତନେ

ନଭେ ଅନ୍ତର୍ଦ୍ଧାନ ହୋଇଲେ ଗଲେ କେବଣ ସ୍ଥାନେ ।୩।

 

ନଭସୁତ ଧନୀ ନାସାରେ ଚଞ୍ଚଳ ଗତି ପରି

ନଟବର ପ୍ରବେଶ ହେଲେ ସୂକ୍ଷ୍ମ ମୂରତି ଧରି । ।୪।

 

ନନ୍ଦସୁତ ରସବତୀର ପ୍ରେମ ମିଳନ ଭାବ

ନ କରିବ ମାୟା ମୋଠାରେ ଭଗବତୀ କହିବ । ।୫।

 

ନିଖିଳ ଅଧିଷ୍ଠାତ୍ରୀ ଦେବୀ ବଜ୍ର କିଳିଣୀ ଦେଇ

ନେତ୍ର ଅଗୋଚରେ ରହିଲେ ହରି ଭେଟିଲେ କାହିଁ ।୬।

 

ନିତ୍ୟସ୍ଥଳ ଅଧିଷ୍ଠାତ୍ରୀ ଗୋ ମୋର ଫେଡ଼ ସନ୍ଦେହ

ନିର୍ମଳେ ପୁଚ୍ଛେ ଅଭିରାମ ମହାତତ୍ତ୍ୱକୁ କହ । ।୭।

 

କଠିନ ଶବ୍ଦାର୍ଥ

ନିଋଜ-ନିରୁତ୍ତର,      ନିଶିମୁଖ-ସଂଧ୍ୟା,      ନଭସୁତ-ବାୟୁ ।

-୦-

 

ପୂର୍ଣ୍ଣମାସୀଙ୍କ ଉତ୍ତର

(ଘନ ରସେ ନଦିଅ ତୁ ଚିତ୍ତରେ ବୃତ୍ତେ)

 

ପୁର ପର ପରର             ପିଅର ଗୋ ବିଶାଖା

ପଇଞ୍ଚ ମଦୀୟ ଯୁଗେ ଯୁଗେ

ପରମ ଆନନ୍ଦ            ପଦ୍ମିନୀ ପାଇଁ ମୁଁ

ପହଁରା ଦିଅଇ ଲୀଳା ରଙ୍ଗେ ଗୋ ବିଶାଖା । (ଘୋଷା)

 

ପଶୁପ ନନ୍ଦନ             ପୁରୋଦରେ ଜାଣ

କ୍ଷିରୋଦକଶାୟୀ ଭକ୍ତ ଯୋଗେ ଗୋ ବିଶାଖା ।୧।

 

ପହୁଡ଼ନ୍ତି ଆପେ             ଗର୍ଭୋଦଳ ରୂପେ

ଦୁଇ ଗୋଟି ଅର୍ଥ ଏକ ସଙ୍ଗେ ଗୋ ।୨।

 

ପାବନ କରତା             ପୁରୁଷାର୍ଥ ଦାତା

ପଶିଗଲେ ରସବତୀ ଅଙ୍ଗେ ଗୋ ।୩।

 

ପୁରନ୍ଦର ଧର             କିଳିଣୀକି ଟାଣି

ସୁଦର୍ଶନ ଦେଲେ ରାଧା ଅଙ୍ଗେ ଗୋ ।୪।

 

ପ୍ରଣୟ ବିଧୁଟି             ଉଦୟ ହୋଇଲା

ପ୍ରଭାକର ଅସ୍ତ ସଙ୍ଗେ ସଙ୍ଗେ ଗୋ ।୫।

 

ପ୍ରତି ଅଙ୍ଗ ଲାଗି             ପ୍ରତି ଅଙ୍ଗ ହସେ

ପିୟୁଷ ମଣଇ ବହୁ ବାଗେ ଗୋ ।୬।

 

ପୟୋଧର ଧରି             ଧର ଧର ହରି

ତୋଷ କଲେ କଥାର ପ୍ରସଙ୍ଗେ ଗୋ ।୭।

 

ପାଳିତ ଫଳକୁ             ମଣୋହି କରନ୍ତି

ଯେଉଁ ଦ୍ରବ୍ୟ ନମିଳଇ ସ୍ୱର୍ଗେ ଗୋ ।୮।

 

ପରିକର ମୁହିଁ            ଅଭିରାମ ବାଇ

ପାଇଛି ତାହାଙ୍କୁ ଭକ୍ତି ଯୋଗେ ଗୋ ।୯।

 

ପର ସଂସାରକୁ             ପାପ ବୋଲି ମଣେ

ପଣିଛି ଶରଣ ପଦ ଯୁଗେ ଗୋ ।୧୦।

 

କଠିନ ଶବ୍ଦାର୍ଥ

ପଇଞ୍ଚ ଭୂଷଣ, ପଶୁପ ନନ୍ଦରାଜ, ପୁରୋଦରେ –ଶରୀର ମଧ୍ୟେ

ପୁର-ଶରୀର, ଗର୍ଭୋଦକ ରୂପେ କାରଣାର୍ଣ୍ଣବ ରୂପେ

ପୁରନ୍ଦର ଧର କିଳିଣୀ –ବଜ୍ରକିଳିଣୀ ।

-୦-

 

ବିଶାଖାଙ୍କ ପ୍ରଶ୍ନ

(ଚାରି ଯୋଗେ ତୋର ଅଛି ଗୋ ଶ୍ରୀମତୀ ବୃତ୍ତେ)

 

ଫୁଲ ପରି ଶିରୋଧାର୍ଯ୍ୟ ଗୋ ଅପନ୍ନା ।

ଫନ୍ଦା କରିଅଛି             ତୁମ୍ଭରି ଆଜ୍ଞାକୁ

ନପାଏ ଯେପରି ଲାଜ ଗୋ ତୁମ୍ଭଗିର ।      (ଘୋଷା)

 

ଫିଟାଇ କହିବ             ମହାନିତ୍ୟ ପାଠ

ଯାହା କଲେ ବ୍ରଜ ରାଜ,

ଫୁଟିଛି କମଳ             ଭୂଧର ଶିଖାଗ୍ରେ

କିପରି ଅଛି ଆପଜ ଗୋ ।୧।

 

ଫାଟି ଯାଉଅଛି             ମୋହର ହୃଦୟ

ଜପୁଛି କିଶୋରୀ ବୀଜ

ମୁଁ ତାର କିଙ୍କରୀ            ମୋତେ ଛାଡ଼ି କରି

ଭିତରେ କଲେ ମଉଜ ଗୋ ।୨।

 

ଫୁଲଶର ବାଧା            ନ ସହିଲେ ରାଧା

କହିଲି ମୁଁ ମନ୍ତ୍ର ବୀଜ

ତେଣୁ କରିଛନ୍ତି             ପ୍ରିୟ ରସବତୀ

ଯୋଗାଭିସାରର ଖଞ୍ଜ ଗୋ । ।୩।

 

ଫିଟାଅ କିଳିଣୀ            ଜୟ ଗୋସାମଣି

ଶରଣ ତୁମ୍ଭ ପାଦାବ୍‌ଜ

ଫଳ ଭୁଞ୍ଜାଇବ             ଅଭିରାମ ବସି

ନିସ୍ତରିବ ମନ ଗଜ ଗୋ ।୪।

-୦-

 

ପୂର୍ଣ୍ଣମାସୀଙ୍କ ଉତ୍ତର

(ଗଲାଣି ତ ଗଲା କଥାରେ ସଙ୍ଗାତ ବୃତ୍ତେ)

 

ବିଶ୍ୱ ଚତୁରୀ ଗୋ             ବିଧୁର ନ ହୁଅ ତୁହି

ବିଧୁର ନୁହନ୍ତି ବିଦଗ୍‌ଧ ବିଦଗ୍‌ଧ ବିଧୁର ତୋତେ ନହଁଇ ।ଘୋଷା।

ବସନ୍ତ ବାସକୁ             ବନ୍ଦି କରିଅଛୁ

ବିଶାରଦ ପଣ ଏହି

ବିଶାଖା ବୁଦ୍ଧିରେ             ଯୋଗ ଅଭିସାର

ଅନ୍ୟ କେ କରି ପାରଇ ।୧।

ବାଣୀ ପରି ତୋର            ବୁଦ୍ଧି ଗୋ ବିଶାଖା

ବନଜିନୀ ପ୍ରାଣସହି

ବର ବର୍ଣ୍ଣନାର            ବିରହ ମେଣ୍ଟିଲୁ

ବାଗୁରା ଯନ୍ତ୍ର ବସାଇ ଗୋ ବିଶାଖା ।      ।୨।

ବିଶ୍ଳେଷଣ କରି             ବୁଝାଇ କହୁଛି

ବଇକୁଣ୍ଠ ଲୀଳା ଯେହି

ବିଶାଖା ଲଳିତା             ଆଦି ଅଷ୍ଟସଖୀ

ଅଷ୍ଟ ଦଳେ ଛନ୍ତି ରହି ଗୋ ।      ।୩।

 

ବଦ,ପର,ରଜ            ଶଶ ଅଷ୍ଟାକ୍ଷର

ଅଷ୍ଟ ସଖୀ ବୀଜ ଏହି

ବିଶାଖା ପ୍ରେମ            ଚାଳନ କରୁଥାଏ

ବିଡ଼ିଆ ଭୁଞ୍ଜାଏ ନେଇ ଗୋ ।            ।୪।

 

ବିଣା ଯନ୍ତ୍ର ଧରି             ଲଳିତା ସୁନ୍ଦରୀ

ପଞ୍ଚାଶ ସ୍ୱରେ ବଜାଇ

ଧୂପ,ଦିପ,ନୈବେ-            ଦ୍ୟାଦି ଦେବୀ କରେ

ସୁଦେବୀ ବସ୍ତ୍ର ପିନ୍ଧାଇ ଗୋ ।      ।୫।

 

ବିଶେଷରେ ଚିତ୍ରା            ଚମ୍ପକଲତା ଯେ

ଗନ୍ଧ ପୁଷ୍ପେ ସେବା ଦୁଇ

ତୁଙ୍ଗବିଦ୍ୟା ଇନ୍ଦୁ-            ରେଖା ଗୀତ ବାଦ୍ୟ

ସେବାରେ ଥାଆନ୍ତି ରହି ଗୋ ।      ।୬।

 

ବାରିଜ ସହସ୍ର             ଦଳ ପରେ ରାସ

ଗୋଲକ ବୈକୁଣ୍ଠ ସେହି

ବାର ସାତ ଧସ୍ତ            ଚୌରାଅଶି ତ୍ରୋଶ

ବୃନ୍ଦାବନ ଏ ଅଟଇ ଗୋ ।       ।୭।

 

ବାହ୍ୟ ଅନ୍ତରରେ             କ୍ରୀଡ଼ା କରୁଥାନ୍ତି

ବ୍ରୀଡ଼ାକୁ ପଛରେ ଥୋଇ

ବରଟା ବରଟି             ବାହାର ହୋଇବେ

ବେନିଘଡ଼ି ରାତ୍ର ଛଇଁ ଗୋ ।      ।୮।

 

ବେନି ଯୋଗ ତୁହି             ନେତ୍ରରେ ଦେଖିବୁ

ବେନି କରମ୍ୱିତ ହୋଇ

ବଜ୍ର କିଳିଣୀର             ଚାବି ମୋ ହସ୍ତରେ

ଭାଷେ ଅଭିରାମ ବାଇ ।      ।୯।

 

କଠିନ ଶବ୍ଦାର୍ଥ

ବିଧୁର-ଅଧର୍ଯ୍ୟ, ବିଦଗ୍‌ଧ-ଚତୁର,ପଣ୍ଡିତ, ବିଦଗ୍‌ଧା-ପ୍ରବୀଣା,ନୂତନା,

ବରବର୍ଣ୍ଣନାର-ନବଯୁବାସ୍ତ୍ରୀର, ବାଗୁରା-ପକ୍ଷୀଧରା ଜାଲ,

ବାରସାତଧସ୍ତ-ଚୌରାଶୀ ଅଙ୍ଗୁଳ, ବରଟା ବରଟି –ହଂସ ହଂସୁଲୀ,

-୦-

 

ବିଶାଖାଙ୍କ ପୂର୍ଣ୍ଣମାସୀଙ୍କୁ ସ୍ତବ

(ଛନ୍ଦା ପାଦ ବନ୍ଧା ବାଟ କହି ବୃତ୍ତେ)

 

ଭଗବତୀ ଗୋ

ଭକ୍ତି ଭାବେ ଘେନ ମୋ ମିନତି

ଭୂ-ଭୀ ତ୍ରାସୁତାର ଜୟ ଜଗଧାତ୍ରୀ ଗୋ । ।ଘୋଷ।

 

ଭାବ ବାମ ତାତ ମନୋହରୀ             ଭୂତି ମୋ ସେହି ତୋ ମାହେଶ୍ୱରୀ

ଭୁବନଜ ଅଘ୍ରିଂ ଦେଖି ହୋଇବି ତୃପତି       ।୧।

ଭବାବ୍‌ଧି ତାରଣେ ତୁହି ପୋତ       ଭଙ୍ଗ ଦେଉଅଛି ଅପ୍ରମିତ

ଭଉଁରୀ ଡଅଁର ଦେଖି ଲାଗୁଅଛି ଭୀତି       ।୨।

 

ଭବାନୀ ମୋହର କର୍ଣ୍ଣଧାରୀ             ଭୟ ନାହିଁଟି ଏଣୁ ମୋହର

ଭଦ୍ର ପଦେ ପ୍ରଣମୁଛି ଦେଖାଅ ଶ୍ରୀପତି ଗୋ       ।୩।

ଭୀରୁ ପରି ହେଲି ଗୋସାମଣି       ଭ୍ରଷଳ ମୋ ଚଞ୍ଚଳ ହେଲାଣି

ଭାବି କହେ ଅଭିରାମ ଫେଡ଼ ମୋ ଦୁର୍ଗତି ଗୋ       ।୪।

 

କଠିନ ଶବ୍ଦାର୍ଥ –

ଭୂଭୀତ୍ରାସ-ଭୂମଣ୍ଡଳସ୍ଥ ତ୍ରାସ,       ଭାବବାମ-କନ୍ଦର୍ପ,      ଭୂତି –ସଂପଦ

ଭୁବନଜ –ପଦ୍ମ,      ଭଙ୍ଗ-ଢେଉ,      ଅପ୍ରମିତ-ଅପ୍ରମାଣ, ଭ୍ରଷଳ-ମନ

-୦-

 

ପୂର୍ଣ୍ଣମାସୀଙ୍କ ପାଦୁକା ମନ୍ତ୍ରବଳେ ଧ୍ୟାନ

(କୋଟାଇ ଗୁଣ୍ଡିଚା ବସନ୍ତ ବାଣୀ ବୃତ୍ତେ)

 

ମନେ ଚିନ୍ତାକଲେ ମାହେଶ୍ୱରୀ ଦେବୀ ପାଦୁକା ମନ୍ତ୍ରକୁ ଧରି

ମଞ୍ଜୁଳ ମଞ୍ଜୁଳ ବିହାରୀ ଶୁଣ ହେ ମନାକ ମୋର ଗୁହାରି ହେ,

ବହି, ମଧୁପର ଆସ ଶିଘ୍ର କରି ହେ, ମଧୁ ଯାଉ ଅଛି ଆଜି ସରି ହେ

ମାଧବ ଗଲେ ହେବ ସର୍ବରୀ ହେ, ମହୀ ଭାରା ଉସ୍ୱାସ ମୁରାରୀ ହେ ।୧।

 

ମିଥୁନ ଅନ୍ତର ପ୍ରେମରେ ତୁମ୍ଭର ମହୀ ଦିଶୁଛି ଅନ୍ଧାର

ମିଳିନ୍ଦ ଭ୍ରମନ୍ତି ମରନ୍ଦ ଲାଳସେ ନ ଦେଖି ପଦ ତୁମ୍ଭରି ହେ ହରି

ମଦ କଳା ମାନେ ତପ କରିହେ, ମାର ମାର ଗଣେ ହୋଇ ପରି ହେ

ମନାସୁଛି ଲୀଳାକୁ ତୁମ୍ଭରି ହେ, ମନସ୍କାମ ପୂରାଅ ସବୁରି ହେ ।୨।

 

ମନ୍ମନ ନିନାଦ ନ ଶୁଭେ ସୁନ୍ଦର ମନ ମୋ ଘାଣ୍ଟି ହେଉଛି

ମକର କେତନ ତାତ ସବୁ ଜାଣ ବ୍ରଜଭୂମି କାନ୍ଦୁ ଅଛି ହେ-ହରି

ମୁଦ ଦେଇ ଚେତାଇଲି ଠାରି ହେ, ମୃଣାଳ ସୂତ୍ରେ ଆସ ମୁରାରୀ ହେ

ମହା କିଳିଣୀ ଫିଟାଇକରି ହେ ମଞ୍ଜୁଷାରୁ ପଡ଼ନ୍ତୁ ବାହାରି ହେ ।୩।

 

ମଙ୍ଗଳା ମନରେ ଚିନ୍ତା କରନ୍ତେଣ ଜାଣିଲେ ମଙ୍ଗଳ ମୟ

ମହାନିତ୍ୟ ରାସେ ଚଞ୍ଚଳ ହୋଇଲେ ଚିତ୍ତଟି ହେଲା,ସେ ଶ୍ୟାମ

ମହାପ୍ରେମେ ହସେ ଅଭିରାମ ସେ,ମୋର ପୂରାଇବେ ମନସ୍କାମ ସେ

ଫଳ ରଖିଅଛି କରିକାମ ସେ, ଭୁଞ୍ଜାଇବ କୋଳେ କରି ପ୍ରେମ ସେ ।୪।

 

କଠିନ ଶବ୍ଦାର୍ଥ

ମନାକ-ଥରେମାତ୍ର, ମିଥୁନ ଅନ୍ତର-ଆଷାଢ଼ମାସ, ମରନ୍ଦ-ମକରନ୍ଦ

ମଦବାଳା-ଗୋପୀ, ମନ୍ମନା-ନୂପୁର, ମୃଣାଳ-ପଦ୍ମ,

-୦-

 

ଶ୍ରୀରାଧାଙ୍କ ଧ୍ୟାନ ଭଞ୍ଜନ

(ଯବନିକା ଫେଡ଼ି ଅନା ସସୁଜ୍ଜ୍ୱଳ ହାସୀ ବୃତ୍ତେ)

 

ଜାଣିଲେ ଗତ ନାଥ ଅପନ୍ନାଙ୍କ ଧ୍ୟାନ

ଜଟିଳା ବଧୁଙ୍କୁ ହସି ଭାଷନ୍ତି ମୋହନ

ଶୁଣ ସମୁଜ୍ଜ୍ୱଳ ହାସୀ

ଜପାକୁ ଯିବାକୁ ଚିନ୍ତିଲେଣି ପୂର୍ଣ୍ଣମାସୀ       ।୧।

 

ଜଗତ ଭାରା ଉଶ୍ୱାସେ ତୁମ୍ଭ ଆମ୍ଭ ଜାତ

ଜାଣ ଭ୍ରମର ପରାଏ ମୋର ଏହି ଚିତ୍ତ

ଜଳ ସୁତ ଛାଡ଼ି କରି

ଯାଇ ଫୁଲେ କାହିଁ ଥାଏ ଶାନ୍ତିଟି ମୋହରି ।୨।

 

ଜୀବଧନ ଜାଣିଲତ ମୋର ଏହି ରୀତି

ଜଣାଉଛି ଅପରାଧ କ୍ଷମ ରସବତୀ

ଜୀବନନ୍ଦ ତୁହି ଧନ

ଜୀବଞ୍ଜୀବ ପରି ମୋତେ କରିଥିବୁ ମନ ।୩।

 

ଯୋଗାଭିସାର କରିଲ ବିଶାଖା ବଚନେ

ଜଗତକଥା କି ତବ ନ ପଡ଼ୁଛି ମନେ

ଜମ୍ୱାଜଳ ନେତ୍ରୀ ଆସ

ଦ୍ୱାଦଶ ବୃନ୍ଦାବନରେ କରିବା ରାହାସ ।୪।

 

ଯଶୋଦା ସୁତ ଭାଷନ୍ତେ ଭାଷନ୍ତି ଶ୍ରୀମତୀ

ମନେ ପଡ଼ିଗଲା ବୃନ୍ଦାବନ ସାଙ୍ଗସାଥୀ

ଯତ୍ନେ ଭାଙ୍ଗି ଗଲା ଧ୍ୟାନ

ଜବେ ଭାଷନ୍ତି ଶ୍ରୀମତୀ ଶୁଣ ପ୍ରାଣଧନ ।୫।

 

ଜାଣିଲି ତଦୀୟ ଲୀଳା ଯଶୋଦା ନନ୍ଦନ

ଯୋଗାଭିସାର କରିଲି ତବଲାଗି ପ୍ରାଣ

ଜାଣି ପୂର୍ଣ୍ଣ କଲ ଆଶ

ଜଗବନ୍ଧୁ ଆସ ମର୍ତ୍ତ୍ୟେ କରିବା ରାହାସ ।୬।

 

ଜଗତ କୃତ ଜନକ କୃତ କୃତ ହୋଇ

ଆଜ୍ଞା ଦେବା ମାତ୍ରେ ବଜ୍ର କିଳିଣୀ ଫିଟାଇ

ଜାଣି କହେ ଅଭିରାମ

କରମ୍ୱିତେ ଆବିର୍ଭାବ ହେଲେ ରାଧାଶ୍ୟାମ ।୭।

-୦-

 

ଶ୍ରୀରାଧାଙ୍କ ପ୍ରତି ବିଶାଖାଙ୍କର ଛଳନା
ଓ ଶ୍ରୀକୃଷ୍ଣଙ୍କ ଶୂନ୍ୟ ହସ୍ତ

 

ରଜନୀଶ ମୁଖୀ ମୁଖକୁ ଦେଖି, ରଦବାସ ଧରି ବିଶାଖା ସଖୀ

ରସାଳସା ରାଇ ତୁ ମୋର ପ୍ରାଣ, ରଣରଣ ତୋତେ ଦେଲା କଷଣରେ

ସଙ୍ଗାତ, ଲାଗି ଥିଲା ତ ଭୂତରେ, ରାଉଳ ଝାଡ଼ିଲା ପଢ଼ିଣ ମନ୍ତ୍ରରେ ।

 

ରସିକ ମୋ ବୋଲେ କରିଲ ଯୋଗ, ରଅ ରୋଗ ଛାଡ଼ି ହେଲେ ନିରୋଗ

ରସିକ ଖଟ ହେଲା ମହାଔଷଧି, ରସଜ ମୁଖୀ ଛାଡ଼ିଲା କି ବ୍ୟାଧିରେ

ସଙ୍ଗାତ, ରାତି ହେଲା କି ଶେଷରେ, ରବି ଉଦେ ହେଲାଣି କି ବାଳୀଶରେ ।

 

ରାଈ ପଦଧରି ବିଶାଖା ସଖୀ, ରସେ ପୁଚ୍ଛନ୍ତି ରସଜ ନେତ୍ରୀଙ୍କି

ରାହାସ ହୋଇବ ଆଜି ଏ ସ୍ଥାନ, ରସାଦେବୀ କରି ଅଛନ୍ତି ମନରେ

ସଙ୍ଗାତ, ରାମ ଅରଣ୍ୟ ଏହିରେ, ରଙ୍ଗାଧର ସଙ୍ଗେ ଖେଳିବେ ରାଈରେ ।

ରଙ୍ଗେ ପୁଚ୍ଛନ୍ତି ବିଶାଖା ରାଈଙ୍କି, ଖୋଜି ପ୍ରବେଶ ହେଲେ ସପ୍ତସଖୀ

ରୁଚିର ବନରେ ହୋଇଲେ ଭେଟ, ରାଧା ପାଦ ଧରି ନମନ୍ତି ଆଠ ସେ

ଦେଖିଲେ, କରମ୍ୱିତ ଶ୍ରୀହରୀ ସେ, ରାଗେ ପୁଚ୍ଛନ୍ତି ଲଳିତା ସୁନ୍ଦରୀ ସେ ।

 

ରଥାଙ୍ଗଧର ତୁମ୍ଭେ ବଡ଼ଖଣ୍ଟ, ରାଇଙ୍କି ଦେଲ କିମ୍ପା ଏତେ କଷ୍ଟ

ରାଧା ନାମ ଧରି ବଜାଅ ବଂଶୀ, ରାତ୍ରଦିନ ଚିନ୍ତାକଲେ ସୁକେଶୀ ହେ

ମୋହନ, ରାଧା ହୋଇଲେ ବାଇ, କି ମନ୍ତ୍ର ପଢ଼ ମୁରଲୀ ବଜାଇ ହେ ।

 

ରାଗରେ ଲଳିତାଦି ଅଷ୍ଟସୁଖୀ, ରଙ୍ଗାଧରରୁ ବଂଶୀ ନେଲେ ଝିଙ୍କି,

ରସବତୀଙ୍କି ଟାଣି ଘେନିଗଲେ, ରମାକାନ୍ତ ନିଭୃତରେ ବସିଲେ ସେ

ଭାଷଇ, ଅଭିରାମ ବିରସେ, ରାତ୍ର ଦିନ ମୁଁ ଗଙ୍ଗାଧର ପାସେ ।

 

କଠିନ ଶବ୍ଦାର୍ଥ

ରଦବାସ-ମୁଖରେ ଲୁଗା କାମୁଡ଼ି ଠିଆହେବା,      ଚାଉଳ-ଗୁଣିଆ

ରଅରୋଗ-ସଂସାର ଭୟ ରୋଗ,      ରସିକଖଟ-ଦାସୀ,             ରସକ-ପଦ୍ମ

ରାମ ଅରଣ୍ୟ -କାମ କେଳି ନିକୁଞ୍ଜ, ରଥାଙ୍ଗଧର-ଚକ୍ରଧର ।

-୦-

 

ଲଳିତାଙ୍କର ଶ୍ରୀରାଧାଙ୍କୁ ଉପଦେଶ

(କଳିନ୍ଦଜା ବୁଲିଆ କଳାବନ୍ତ କାଳିଆ ବୃତ୍ତେ)

 

ଲଟ ଫାନ୍ଦରେ ବାନ୍ଧ            ରାଈ ତୁ ହେଲୁ ଧନ୍ଦି

ଲଳିତା ଗିର କର ରସବତୀ ।

ଲଟ ହେବ କହ୍ନାଇ             କରିବି ମନ୍ତ୍ର ମୁହିଁ

ତମ୍ଭ ପରି ହୋଇବେ ଶିରୀପତି ।      ଘୋଷା।

 

ଲଟ ଲପନ ଆଣ୍ଟ             କେ ଜାଣେ ତାର କୁଟ

ନ ଜାଣୁ ସଙ୍ଗାତ ତା କୁଟ ନୀତି       ।୧।

 

ଲାକ୍ଷା ଦେଲା ବେଳର      କଥାକୁ ହେତୁ କର

କି ମନ୍ତ୍ର ଲେଖି ଦେଲା କଂସାରାତି       ।୨।

 

ଲାସ୍ୟ ପ୍ରିୟ ସୁକେଶୀ       ନିଅ ମୋହନ ବଂଶୀ

ବଜାଅ ଶ୍ୟାମ ନାମେ ବହି ପ୍ରୀତି       ।୩।

 

ଲୋଲୁପ ନାରୀ ନଟ       କିପରି ତାର ଆଣ୍ଟ

ଦେଖିବା ଏହିକ୍ଷଣି ଗୋ ଶ୍ରୀମତୀ      ।୪।

 

ଲଳିତା ଗିର ଶୁଣି             ବଜାନ୍ତି ରାଧା ରାଣୀ

ଲଳିତା ଶ୍ୟାମ ନାମେ ବହି ପ୍ରୀତି       ।୫।

 

ଲାବଣ୍ୟ ପାଦ ଧ୍ୟାୟି       ଅଭିରାମ କହଇ

ମୂରଲୀଧର ହେଲେ ରାଧା ସତୀ      ।୬।

 

କଠିନ ଶବ୍ଦାର୍ଥ

ଲଟଫାନ୍ଦ- ମାୟାଫାନ୍ଦ, ଲଟ-ଚେରା, ଲଟଲପନ-ଚେରାମୁଖ,

ପ୍ରସନ୍ନମୁଖ,      ଲାକ୍ଷା-ଅଳତା ।

-୦-

 

ଶ୍ରୀରାଧାଙ୍କର ବଂଶୀସ୍ୱନ

(କୀର୍ତ୍ତନ ସୁର)

 

ବାରିଜ ନେତ୍ରୀବଂଶୀ କରେ ଧରି,

ବସନ୍ତ ବାସଙ୍କୁ ଚିନ୍ତି କହନ୍ତି ତିଆରି

ବାଜିଲୁ ବାଜିଲୁ ଦେଖି ବାଜିଲୁ ମୋ ବଂଶୀ,

ବନଜିନୀ ସତୀ କହେ ବାଜ ମୋର ବଂଶୀ

ବାଜରେ ବଂଶୀ ଶ୍ୟାମ ଶ୍ୟାମ,      ରସ ରାଜ ଅଭିରାମ ।୧।

 

ବଶ୍ୟ ଉଚ୍ଚାଟନ ସ୍ତମ୍ୱନ ମୋହନ ସ୍ୱରେ,

ବଜାଇଲେ ରସବତୀ ଲଳିତ ମଧୁରେ

ବାଣୀ ବିପଞ୍ଚିରୁ ବଳିଯାଏ ବଂଶୀ ସ୍ୱନ,

ବୁଡା ଉଡ଼ା ଚଳା ଚଳେ ସମସ୍ତେ ଉଚ୍ଛନ୍ନ

ପାଷାଣ ହୁଅଇ ପାଣି,      ଉଚ୍ଛନ୍ନ ଗୋପ ରମଣୀ ।୨।

 

ବ୍ରଜ ସୁନ୍ଦରଙ୍କ କର୍ଣ୍ଣେ ପଶେ ବଂଶୀ ନାଦ,

ବିପରିତେ ଚଉଦିଗେ ଦେଖନ୍ତି ଗୋବିନ୍ଦ

ବନେ ବସି ମନେ ଚିନ୍ତୁଥିଲେ ରାଈ ପ୍ରେମ,

 

ବଂଶୀ ମଧୁରେ ଡାକଇ ଉଠି ଆସ ଶ୍ୟାମ

ବର୍‌ହୀପୁଚ୍ଛ ମଣ୍ଡନ, ବିଶେଷେ ହେଲେ ଉଚ୍ଛନ୍ନ ।୩।

 

ବେଗେ ବେଗେ ଗଲେ ବିଧୁ ବ୍ରୀଡ଼ା ତେଜି କରି,

ଦେଖିଲେ ଗୋପୀଙ୍କ ମଧ୍ୟେ ଶ୍ରୀ ରାଧା ସୁନ୍ଦରୀ

ବିଶାଖା କହନ୍ତି ଲଳିତାଙ୍କୁ ନେତ୍ର ଠାରି,

ବନମାଳୀ ପ୍ରବେଶିଲେ ବେଳ ଜାଣି କରି

ବସନ୍ତ ବାସଙ୍କୁ ଦେଖି,କହନ୍ତି ଲଳିତା ସଖୀ ।୪।

 

ବାରିଜ ନେତ୍ର ହେ କିମ୍ପା ଆସିଲ ଏ ସ୍ଥାନ,

ବାଇ ହେଲା ରାଈ ତବ ବଂଶୀ ସ୍ୱନ

ବାର ବାର କହୁଅଛି ଫେରିଯା ଫେରିଯା,

ବାରିଜ ନେତ୍ର ଦେଖିଲେ ଦେବ ନିଶ୍ଚେ ସଜା

ବାଇ ଅଭିରାମ କହି, ବିଶ୍ୱାସ ତୁମ୍ଭକୁ ନାହିଁ, ।୫।

 

କଠିନ ଶବ୍ଦାର୍ଥ

ବନଜିନୀ-ପଦ୍ମିନୀ, ବିପଞ୍ଚି-ବୀଣା, ବରହୀ-ମୟୂର ବିଧୁ –ଚନ୍ଦ୍ର ।

-୦-

 

ଶ୍ରୀକୃଷ୍ଣଙ୍କ ପ୍ରତି ଅଷ୍ଟ ସଖୀଙ୍କ ପ୍ରଶ୍ନ

(ପଦ୍ମାକ୍ଷ ପୀତବାସ ମୋ କୋଳେ ବସ-ବୃତ୍ତେ)

 

ଶତଭୀରୁ ହେ ଆଜି ପାଇବ ଲଜ୍ଜା

ସଖୀଙ୍କ ହସ୍ତେ ଶ୍ୟାମ ହେବଟି ସଜା ।ଘୋଷା।

 

ସୁଦେବୀ କହି,            ଶୁଣ କହ୍ନାଇ,

ମକଦ୍ଦମା କରିବୁ,            ଓ୍ୟାରେଣ୍ଟରେ ନେବୁ,

ଲାଗିବ ମଜ୍ଜା ।୧।

 

ଶୁଣ ଶ୍ରୀପତି,            ଦେବୀ କହନ୍ତି,

ଚାରିଶତ କୋଡ଼ିଏ             ଦଫା ଦେବୁ ଯୋଡ଼ିଏ,

ହେଲାଣି ଖଞ୍ଜା ।୨।

ସୁର ହେ ଘେନ            ଚିତ୍ରା ବଚନ

ମନ୍ତ୍ରରେ ବଂଶୀ ବାଅ       କୁଳ ବଧୁଙ୍କୁ ନିଅ,

ଏଣୁ ଏ ପୂଜା ।୩।

 

ଶମନ ସ୍ୱସା            ଯାଆନ୍ତି ଯୋଷା

ଇଜତ ନିଅ ହରି             ବସନ ଚୋରି କରି

ଗରିବ ଗଞ୍ଜା ।୪।

 

ଶୁଣ ସଉରୀ             ଆମ୍ଭ କିଶୋରୀ

ଆହେ ଯଶାଦା ବତ୍ସ ନାମରେ ଉଡ଼ାଉଛ,

ଲଜ୍ଜାର ଧ୍ୱଜା ।୫।

 

ଶୃତିରେ ନାହିଁ             ଶୃତିରେ ନାହିଁ

ମଉଳା ନାରୀ             ଚିତ୍ତକୁ ଚୋରି,

କରେ ଭଣଜା ।୬।

 

ଶୁଣ କରତା             ଭାଷେ ଲଳିତା

ଏହାର କଇଫତ            ଦିଅନ୍ତୁ ନନ୍ଦ ସୁତ;

ନୋହିଲେ ଯାଅ ଯା ।୭।

 

ଶୁଣ ଶ୍ରୀଧର            ଯୋଗାଭିସାର

କିମ୍ପାଇଁ କଲେ ରାଈ, ଅଭିରାମ ପୁଚ୍ଛଇ

କହ ନେଇଯା ।୮।

 

କଠିନ ଶବ୍ଦାର୍ଥ

ଶତଭୀରୁ-ବିଶେଷ ଡରୁଆ, ସୁର-ଦେବତା

ସ୍ୱସା-ଭଗ୍ନୀ, ସଉରୀ-ଶ୍ରୀକୃଷ୍ଣ

-୦-

 

ଶ୍ରୀକୃଷ୍ଣଙ୍କର ଉତ୍ତର ପ୍ରଦାନ

 

ଶୁଣ ସଖୀମାନେ ମୋର

ଭକତ ହିତେ ମୁଁ ଯୁଗେ ଅବତାର ଗୋ

 

ସ୍ମିତେ ଭାଷନ୍ତି ଶ୍ରୀକୃଷ୍ଣ ଭକ୍ତ ପାଇଁ ମୋର

ଧରିଥାଏ ଶଙ୍ଖ ଚକ୍ର ଚିହ୍ନ ନିରନ୍ତର ଗୋ ।୧।

 

ସୁସ୍ନେହୀ ଭକତ ମୋର କର୍ମ କରୁଥାଇ

ଭକ୍ତିରେ ଫଳ ଦେଲେ ମୁଁ ଆନନ୍ଦେ ଭୁଞ୍ଜଇ ଗୋ ।୨।

 

ସଞ୍ଚାର ଭାବରେ ଯିଏ ଭଜୁଥାଇ ମୋତେ,

ସନ୍ତତ ଥାଆଇ ମୁହିଁ ସେ ଭକ୍ତ ,ସଙ୍ଗତେ ଗୋ ।୩।

 

ସୁ-ସଇନ୍ଦ୍ରୀ ମାନେ ତୁମ୍ଭେ ଶିରମତୀ ଙ୍କର,

ନିଜ ସୁଖ ବାଞ୍ଛା ନାହିଁ ସେ ଭକ୍ତ ମୋହର ଗୋ ।୪।

 

ସାତ୍ୟୁକ ଭକତଙ୍କର ଜିହ୍ନାରେ ମୁଁ ଭୁଞ୍ଜେ

ଭକ୍ତି କର୍ମ ବିଶ୍ୱାସେ ଚିତ୍ତ ମୋର ରଞ୍ଜେ ଗୋ ।୫।

 

ସୁବେଣୀ ସମୂହଙ୍କର ବସ୍ତ୍ର କଲି ଚୋରି

ଲଜ୍ଜା ତ୍ୟାଗ କରି ଭଜ ବୋଲି ଦେଲି ଠାରି ଗୋ ।୬।

 

ଶିରିମତୀ ମହାଭାବ ସ୍ୱରୁପିଣୀ କହି,

ମୋର ଅଙ୍ଗ ଲାଗି ତାର ଅଙ୍ଗ କାନ୍ଦୁଥାଇ ଗୋ ।୭।

 

ସୁସ୍ୱରେ ବଜାଏ ବଂଶୀ ଯେତେ ବାଗେ ମୁହିଁ

ତେଣୁ ରାଧେ ରାଧେ ବୋଲି ନିନାଦ ଶୁଭଇ ଗୋ ।୮।

 

ଶ୍ରୀରାଧାଙ୍କ ପ୍ରେମେ ମୋର ଏ ନଟବର ବେଶ

ତେଣୁ ରାଧା ନାମେ ମୋର ମୂରଲୀ ଅଭ୍ୟାସ ଗୋ ।୯।

 

ରାଧା କାନ୍ତି ସ୍ନେହେ ମୋର ପିନ୍ଧା ପୀତ ବାସ

ରାଈ ମୋର ଦେହ ମନ ଜୀବନ ସର୍ବସ୍ୱ ଗୋ ।୧୦।

 

ନଟ ପଦ ବୁଦ୍ଧି ମୋର ବୁଦ୍ଧି ମୋର ଶ୍ରୀମତୀ ଜାଣଇଁ

ଶତଦଳ ବିନେ ଅନ୍ୟେ ଶାନ୍ତି ଥାଏ କାହିଁ ଗୋ ।୧୧।

 

ଶ୍ରୁତିରେ କହିଲେ ସଖୀ ରାଈ ମୋର ମାଇଁ

ତତ୍ତ୍ୱରେ ଖୋଜିଲେ ଏକବ୍ରହ୍ମ ଅଟେ ଦୁଇ ଗୋ ।୧୨।

 

ସୁମନା ଗୋ ସୁମନରେ ବିଚାର ଚିତ୍ତର

ଅଭିରାମ ନିସ୍ତରିଲା ଶୁଣି ଏ ଉତ୍ତର ଗୋ ।୧୩।

 

କଠିନ ଶବ୍ଦାର୍ଥ

ସଞ୍ଚାର-ଦୁତୀ, ସୁସଇନ୍ଦ୍ରୀ-ବେଶ କାରିଣୀ ସ୍ତ୍ରୀ ।

-୦-

 

ଶ୍ରୀକୃଷ୍ଣଙ୍କର ଚୁକ୍ତିପତ୍ର

(ଜୟ ଜୟ ଧର ଧର ବୃତ୍ତେ)

 

ସାତତ୍ତ୍ୱ ସାଗର ସୁତ       ଶୁଣିଲତ ଯାହା କହିଲେ ସେତ

ସଖୀମାନେ ଗୋ, କିଏ ନମଣିବ ସତ ।            ।୧।

 

ସ୍ମିତରେ ଯାହା ଭାଷଇ      ଶ୍ରୁତିବାଣୀ ପରି ମନ ରସଇ

ସଖୀମାନେ ଗୋ, ସହନ-ନ, ଉଲ୍ଲସଇ ।      ।୨।

 

ସରୋଜିନୀ ସ୍ୱାମୀ ଶୁଣ       ସତ୍ୟବାଣୀ ଭାଷି ତୋଷିଲ ମନ

ଶ୍ୟାମ ଘନ ହେ, ଶ୍ରୁତି ତୁମ୍ଭର ବଚନ ।             ।୩।

 

ସଇତକ କୁଦଠାର             ଶ୍ୟାମଙ୍କର ସେ କି ହେଲା ବିଚାର

ଶ୍ରୀନିବାସ ହେ , ରାଧା ଗୋପୀ ଶଙ୍କାଶର।      ।୪।

 

ଶ୍ୟାମ ହେ ଏପରି କେତେ       କହିବୁ ତୁମ୍ଭ ଅବିଚାର ଯେତେ

ସ୍ମର ତାତ ହେ, ଏଣୁ ନଯାଉ ପରତେ ।             ।୫।

 

ସୁର ହେ କହୁ ସମସ୍ତେ      ଚୁକ୍ତି ପତ୍ର ଏକ ଲେଖ ଶ୍ରୀହସ୍ତେ

ରସରାଜ ହେ, ତେବେ ଆମ୍ଭେ ଯିବୁ ପ୍ରତେ ।      ।୬।

 

ଶୁଣ ନବନୀତ ଚଖା       ଚୁକ୍ତିପତ୍ରେ ସାକ୍ଷୀ ଥିବେ ତୋ ସଖା

ଶ୍ୟାମଘନ ହେ, ସରତ ହୋଇବ ଲେଖା ।      ।୭।

 

ଶ୍ୟାମଘନ ହସ୍ତାଙ୍କିତ      ଚୁକ୍ତି ତଳେ ଥିବ ତୁମ୍ଭ ଦସ୍ତଖତ

ଶ୍ରୀନିବାସ ହେ, ସଖୀଙ୍କର ଏହି ମତ ।            ।୮।

 

ସର୍ବପର ତାତ କର            ତେବେ ସିନା ହେବ ରାସ ବିଚାର

ଶେଷାନନ ହେ, ସିତେ ଭାଷନ୍ତି ଶ୍ରୀଧର ।            ।୯।

 

ସଖୀଏ କହିଲେ ସତ      ଲେଖନ ପତର ଦିଅ ମୋ ହସ୍ତ

ଅବିଳମ୍ୱେ ଗୋ, ଲେଖିବି ଚୁକ୍ତୁତି ପତ୍ର ।            ।୧୦।

 

ସୁଦେବୀ ଲେଖନ ପତ୍ର      ଦେଲେ କରେ ହରି ଲେଖିଲେ ମାତ୍ର

ଶିରମତୀଙ୍କି, ସ୍ମରି ଲିହିଲେ ସରତ ।            ।୧୧।

 

ଶ୍ରୀରାଧା ବସତି ଯହିଁ      ସୁଧା ବସୁଧାଟି ସେହି ବୋଲାଇ

ସେହି ସ୍ଥାନଙ୍କୁ, ଛାଡ଼ି କେଣେ ଯିବି ନାହିଁ ।            ।୧୨।

 

ସଖୀଙ୍କ ଆଦେଶ ଯାହା       ସତ୍ୟ ସତ୍ୟ ମୁହିଁ କରିବି ତାହା

ସରତ ଏହି, ଲେଖିଦେଲେ ଚଉବାହା ।            ।୧୩।

 

ସରତ ତଳରେ ନାମ       ଦସ୍ତଖତ କଲେ ଲୋକାଭିରାମ

ସଖାଙ୍କୁ ସାକ୍ଷୀ, କରାଇଲେ ଘନଶ୍ୟାମ ।      ।୧୪।

 

ସଖୀଙ୍କି ଶୁଣାଇ ଦେଲେ      ଚୁକ୍ତିପତ୍ର ଖଣ୍ଡି ଲଳିତା ନେଲେ

ସଦନେ ନେଇ, ଯତନ କରି ଥୋଇଲେ ।      ।୧୫।

 

ସୁଦେବ୍ୟାଦି ସଖୀମାନେ       ଶ୍ୟାମ ସହ କରମ୍ୱିତ ଯତନେ

ପ୍ରବେଶିଲେ ଯେ, ଶିରିମତୀ ଦରଶନେ ।            ।୧୬।

 

ସୂୟାରେ ବାଂଶରୀ ଧରି      ବଜାନ୍ତି କିଶୋରୀ ଦେଖିଲେ ହରି

ଅଭିରାମଟି, ଶୁଭେ ସୁଦର୍ଶନ କରି ।            ।୧୭।

 

କଠିନ ଶବ୍ଦାର୍ଥ

ସାତତ୍ତ୍ୱ-ଯଦୁବଂଶର ସୁତ, ସାଗର ସୁତ-ଶ୍ରୀକୃଷ୍ଣ,

ସୈକତ-ବାଲି, ସର୍ବପର-ଶିବଙ୍କର ଶତ୍ରୁ କାମଦେବ,

ସହନନ-ଶରୀର, ସୂୟା-ସ୍ନେହ

-୦-

 

ଶ୍ରୀରାଧା କୃଷ୍ଣଙ୍କର ମିଳନ ଓ

କୁସୁମ ଦୋଳି ଆରୋହଣ

 

(ବାରଜି ନେତ୍ରୀ ବଜାନ୍ତି ବଂଶୀ କରେ ଧରି ବୃତ୍ତେ)

ହର୍ଷେ ଚୁକ୍ତିପତ୍ର ଧରି ଲଳିତା ସୁନ୍ଦରୀ

ହରିନେତ୍ରୀଙ୍କି ଦିଅନ୍ତି ମୁଦ ଫେଡ଼ି କରି

ହରିପ୍ରିୟା କରକମଳ ପ୍ରସାରି ନେଲେ

ହରି ହସ୍ତାଙ୍କିତ ଦେଖି ଚମତ୍କାର ହେଲେ

ହରି କୋଟିଜିତ ମୁଖୀ ପ୍ରଶଂସନ୍ତି ଧନ୍ୟ ମୋ ସଖୀ ।୧।

 

ହରିଙ୍କି ଚାହିଁ ଭାଷନ୍ତି ସମୁଜ୍ଜ୍ୱଳ ହାସୀ

ହରିତାତ ନିଅ ଏ ତୁମ୍ଭ ମୋହନ ବଂଶୀ

ହଂସକ ପରାଏ ମୋତେ ରଖିଥିବ ଧନ

ମୁହିଁ ତୁମ୍ଭ ଆଜ୍ଞାକାରୀ ତୁମ୍ଭେ ମୋ ଜୀବନ

ହରଷେ କହନ୍ତି ହରି, ହରି ଧରି କୋଳ କରି । ।୨।

 

ହାର ଅଟ ତୁମ୍ଭେ ମୋତେ ହରି ମଧ୍ୟେ ଥାଇ

ହରି ଅଙ୍ଗେ ନିବାସ ଗୋ ତୁମ୍ଭରି ଅଟଇ

ହରି ଗୃହେ ହରିଥିଲେ ହରିର କି ହେବ

ହରି ନେତ୍ରୀ ସେହିପରି ମୋତେ ଜାଣିଥିବ

ହରିଙ୍କର ଗିର ଶୁଣି, ହସି କହୁଛନ୍ତି ଧନୀ । ।୩।

 

ହରିଧର ତୁମ୍ଭେ ପରା ମୋ ପ୍ରାଣର ଧନ

ତୁମ୍ଭ ଅଙ୍ଗ ଲାଗି କାନ୍ଦେ ମୋର ଅଙ୍ଗ ମାନ

ହରି କରି ଅଛ ହରିଙ୍କ ପାଶେ ଯେ ଚୁକ୍ତି

ତଦୃପ ମୋ ସଙ୍ଗେ ଖେଳ ମାଗେ ରସବତୀ

ସତ୍ୟକଲେ ବନମାଳୀ, ହରି ଦେଲେ ହୁଳହୁଳି ଗୋ ।୪।

 

ହରଷ ହୋଇଲେ ଶୁଣି ଅଷ୍ଟ ସଖୀମାନେ

କୁସୁମ ଦୋଳି ସଜାଇ ବସାନ୍ତି ଯତନେ

ହରିଙ୍କ ଅଙ୍କେ ବସିଲେ ସାରଙ୍ଗ ନୟନୀ

ହରିମାର୍ଗେ ଦେବତାଏ କଲେ ଜୟ ଧ୍ୱନି

ହରିବୋଲ ହୁଳହୁଳି, ନିନାଦେ ମହୀ ଉଛୁଳି ।୫।

 

ହରି ଷୋଳସହସ୍ରମାନେ ସେବା ଯେ ଯାହାର

ହରଷେ କରନ୍ତି ଧ୍ୟାୟୀ ଯୁଗଳ ପୟର

ହରି ପଞ୍ଚଶର ଧରି ହୋଇଅଛି ଛିଡ଼ା

ହରି ପୁତ୍ର ବିନ୍ଧିବାକୁ ମନୁ ତେଜି ବ୍ରୀଡ଼ା

ହଂସ ଧ୍ୟାୟୀ ଅଭିରାମ, ହସେ ହୋଇ ମହାପ୍ରେମ ।୬।

 

କଠିନ ଶବ୍ଦାର୍ଥ

ହରିନେତ୍ରୀ-ପଦ୍ମନେତ୍ରୀ, ହରିତାତ-କାମଦେବ ପିତା

ହଂସକ-ପଦ୍ମଭୂଷଣ, ହରିମାର୍ଗେ-ଆକାଶ ମାର୍ଗେ,

ହରିପୁତ୍ର-କନ୍ଦର୍ପ ।

-୦-

 

ଅପରାଧ ମାର୍ଜନ

(ନିରଜ ନୟନୀ ରାଈ ନିଦର ହୋଇ ବୃତ୍ତେ)

 

କ୍ଷମାପରାଧ ମୋ ଧନ, କ୍ଷୀର ନିଧାନ-

ଶାୟୀ ହେ ମୁଁ ଶରଣାପନ୍ନ ।ଘୋଷା।

 

ଖର ହେ ଶରୀରେ, ଖର ରୂପରେ ଖେଳୁଛ ବେନି ଗୋପରେ (ପଡ଼ି)

ଖରାପି କର୍ମ ମାନ             ଯଦି କରେ ଏ ମନ

ଖଞ୍ଜରେ ଯାଣୁ ଥାଅ       ଖଞ୍ଜନାଖିର ପ୍ରାଣ

ଖର ଭକତି ଯେହି             ତଦୀୟ ପ୍ରିୟ ସହି

କ୍ଷଣଦା ଥିଲେ ତା’ର      ଅରିରେ ଦିଅ ଦହି

ଖଗଆସନ ।୧।

 

କ୍ଷୌଣୀରେ ମୁଁ ସାନ ତୋର      କ୍ଷମା ସାଗର

ଖେଳଟି ମୋର ତୁମ୍ଭର ।

ଖଗପତି ବରଷ             ତଦୀୟ ନିଜ ଚାଷ

କ୍ଷଣପ୍ରଭା ମାରୁଛି             ବହୁଛି ଅଣଚାଷ

ଖତମାଳ ତ ନାହିଁ             କୁଳୀଶ ପ୍ରହାରଇ

 

ଖେଦ ଆରତ ନାଥ            ଏଣୁ ମୁଁ ଡାକୁଥାଇ

ଖରାପ ମନ ।୨।

 

ଖଗ ସ୍ୱରୂପୀ ଗୋପାଳ      କର୍ର ଫଳ

ଦେଉଛ ନନ୍ଦ ଦୁଲ୍ଲାଳ

ଖଗପତିଙ୍କ ପତି            ପଣେ କରିଛି ମତି

ଖାତର ନାହିଁ ତେଣୁ       କ୍ଷେତ୍ର ନେଲେ ଶ୍ରୀପତି

ଖଟିଛି ତେଣୁ ମୁଁହିଁ             ଖଟଣି ଲାଗି ପାଇଁ

ଖାଉଛି ଧକ୍‌କା ଯେତେ       କ୍ଷୋଭ ଏଣୁ ମୋ ନାହିଁ

କ୍ଷତୀ ଜୀବନ ।୩।

 

ଖଞ୍ଚନାଖିଙ୍କି କୋଳର       ଧରି ଭୋଳରେ

ବସିଛ ପୁଷ୍ପ ଦୋଳିରେ

ଖେଳିବା ଦ୍ରବ୍ୟ ଦିଅ       ଯହିଁରେ ତୁମ୍ଭ ପ୍ରିୟ

ଖଂ ସୁମନ ପରି             ହରି ହେ ନ ଭୁଲାଅ

କ୍ଷମାସାଗର ପଦ             ଅଭିରାମ ସମ୍ପଦ

ଖଞ୍ଜରେ ଚାହିଁ ଥାଅ       ମୋତେ ରାଧା ଗୋବିନ୍ଦ

ଜୀବ ଜୀବନ ।୪।

-୦-

 

ଶ୍ରୀ ରାଧାଙ୍କ ଦୃଢ଼ବ୍ରତ

(ନଦୀୟା ସୁର ବୃତ୍ତେ)

 

କୃଷ୍ଣ ମୋର ଧନ, କୃଷ୍ଣ ମୋ ଜୀବନ, କୃଷ୍ଣ ମୋର ଜାତି ପତି ଗୋ

କୃଷ୍ଣ ମୋର ବଳ କୃଷ୍ଣ କୁଳଶୀଳ, କୃଷ୍ଣ ମୋର ଏକ ଗତି ଗୋ

କୃଷ୍ଣ ବିନେ ଆଗୋ ସହି

କ୍ଷଣେ ବଞ୍ଚି ପାରଇ କି ରାଈ ଗୋ ।୧।

 

ନକର ବିଳମ୍ୱ ନିମିଷେ ଗୋ ଆଉ, ଚଳ ଚଳ ବୃନ୍ଦାବନେ ଗୋ

ଏ ତାପିତ ଦେହ ଶୀତଳ କରିବି , ପ୍ରାଣ କୃଷ୍ଣ ଦରଶନେ ଗୋ

କୃଷ୍ଣ ବିନେ ପ୍ରାଣସହି

କ୍ଷଣେ ବଞ୍ଚି ପାରଇ କି ରାଇ ଗୋ ।୨।

 

ଜୀବନ ଯୌବନ ସବୁ ସର୍ମପଣ, କରିଛି ସେ ଛନ୍ଦା ପାଦେ ଗୋ

ଛାର କଳଙ୍କ ଘୋଷଣାକୁ ମୋହର, ତିଳେ ଭୟ ନାହିଁ ହୃଦେ ଗୋ

କୃଷ୍ଣ ବିନେ ଆଗୋ ସହି

କ୍ଷଣେ ବଞ୍ଚିବାର ଆଶା ନାହିଁ ଗୋ ।୩।

 

କଠିନ ଶବ୍ଦାର୍ଥ

କ୍ଷଣଦା-ରାତ୍ରୀ, କ୍ଷୌଣୀ –ପୃଥ୍ୱୀ, ଖତମାଳ-ମେଘ

ହରି-ବିଷ୍ଣୁ, ଶିବ, ବ୍ରହ୍ମା,ଇନ୍ଦ୍ର, ଯମ, ଅଗ୍ନି, ସୂର୍ଯ୍ୟ,ବାୟୁ,

କିରଣ, ସିଂହ, ଅଶ୍ୱ, ଶୁକପକ୍ଷୀ, ସର୍ପ, ଭେକ, ବାନର, କୋକିଳ,ମୟୂର, ହଂସ,

ଜମ୍ୱୁଦ୍ୱୀପର ବର୍ଷ ବିଶେଷ, ଖଂସୁମନ-ଆକାଶ କୁସୁମ

 

ଗୁଣନିଧି ନୀଳ ରତନକୁ ମୋର, ପାଇବି ଟି ଯଦି ସହି ଗୋ

କିବା ଦୁଃଖଛାର ସେ କାଳରେ ମୋର, ଲଭି ପାରିବକି ରହି ଗୋ

କୃଷ୍ଣ ବିନେ ଆଗୋ ସହି

ରାଧା ବଞ୍ଚି ପାରିବକି କାହିଁ ଗୋ ।୪।

 

କୋଟି କୋଟି ଦୁଃଖ ପଡ଼ିଲେ ଗୋ ସୁଖ, ସେ କାଳରେ ମଣୁଥିବି

ଅଭୟ ଅକ୍ଷୟ ଶ୍ୟାମ ପ୍ରେମନୀରେ, ନିରନ୍ତର ବୁଡ଼ୁଥିବି ଗୋ

ଏହି ମୋର ଦୃଢ଼ ବ୍ରତ

କହେ ଅଭିରାମ ସତ୍ୟ ସତ୍ୟ ଗୋ ।୫।

-୦-